ଏଣିକି ୨ ବର୍ଷ ଯାଏଁ ରଖାଯିବ ଆପଣଙ୍କ ଫୋନ୍ କଲ୍ ରେକର୍ଡ, କେନ୍ଦ୍ର ଦେଲେ ଆଦେଶ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଟେଲିକମ୍ ବିଭାଗ (ଡିଓଟି) ପକ୍ଷରୁ ୟୁନିଫାଏଡ୍ ଲାଇସେନ୍ସ ଚୁକ୍ତିନାମାକୁ ସଂଶୋଧନ କରି ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ତଥା ଅନ୍ୟ ସମସ୍ତ ଟେଲିକମ୍ ଲାଇସେନ୍ସପ୍ରାପ୍ତଙ୍କୁ ଏକ ବର୍ଷର ଅଭ୍ୟାସ ବଦଳରେ ବାଣିଜ୍ୟିକ ତଥା କଲ୍ ବିବରଣୀ ରେକର୍ଡକୁ ଅତି କମରେ ଦୁଇ ବର୍ଷ ପର୍ୟ୍ୟନ୍ତ ଷ୍ଟୋର୍ କରି ରଖିବାକୁ କୁହାଯାଇଛି । ଡିସେମ୍ବର ୨୧ ତାରିଖରେ ଏକ ବିଜ୍ଞପ୍ତି ମାଧ୍ୟମରେ ଡିଓଟି ଏପରି କହିଛି ।

ବିଜ୍ଞପ୍ତି ମାଧ୍ୟମରେ ଡିଓଟି କହିଛି ଯେ, ସମସ୍ତ କଲ୍ ବିବରଣୀ ରେକର୍ଡ, ଏକ୍ସଚେଞ୍ଜ୍ ଡିଟେଲ୍ସ ରେକର୍ଡ ଏବଂ ନେଟୱର୍କରେ “ଏକ୍ସଚେଞ୍ଜ” ଟେଲିକମ୍ ର ଆଇପି ସବିଶେଷ ରେକର୍ଡ ଦୁଇବର୍ଷ ପର୍ଯ୍ୟନ୍ତ କିମ୍ବା ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଯାଞ୍ଚ କରିବା ପରିପ୍ରେକ୍ଷୀରେ ସଂଗୃହିତ ରଖିବା ଦରକାର । ଅଧିସୂଚନାରେ କୁହାଯାଇଛି ଯେ, ଇଣ୍ଟରନେଟ୍ ସେବା ପ୍ରଦାନକାରୀ ମାନେ ଦୁଇବର୍ଷ ପର୍ଯ୍ୟନ୍ତ ସାମାନ୍ୟ ଆଇପି ବିବରଣୀ ରେକର୍ଡ ବ୍ୟତୀତ ଇଣ୍ଟରନେଟ୍ ଟେଲିଫୋନୀ ର ତଥ୍ୟ ମଧ୍ୟ ସଂଗୃହିତ କରି ରଖିବାକୁ ହେବ ।
ତେବେ ଏହା ଏକ ପ୍ରକ୍ରିୟାତ୍ମକ ଆଦେଶ । ଅନେକ ସୁରକ୍ଷା ଏଜେନ୍ସି ପକ୍ଷରୁ ଏନେଇ କୁହାଯାଇଛି । କାରଣ ତଥ୍ୟ ଯାଞ୍ଚ କରିବା ପାଇଁ ଖାଲି ଦୁଇବର୍ଷ ନୁହେଁ ଆହୁରି ସମୟ ଲାଗିଥାଏ । ଏନେଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଗୁଡ଼ିକ ସହିତ ବୈଠକ ହୋଇଛି । ଯେଉଁଥିରେ କମ୍ପାନି ଗୁଡ଼ିକ ଦୁଇବର୍ଷ ପର୍ଯ୍ୟନ୍ତ କଲ୍ ରେକର୍ଡ ରଖିବାକୁ ରାଜି ହୋଇଛନ୍ତି । ଏନେଇ ବୈଠକର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଲାଇସେନ୍ସର ସର୍ତ୍ତ ଏହା ମଧ୍ୟ ବାଧ୍ୟତାମୂଳକ କରିଛି ଯେ, ମୋବାଇଲ୍ କମ୍ପାନି ଗୁଡ଼ିକୁ ଆଇନ ପ୍ରଣୟନକାରୀ ସଂସ୍ଥା ଓ ବିଭିନ୍ନ ଅଦାଲତକୁ ସେମାନଙ୍କର ନିର୍ଦ୍ଦିଷ୍ଟ ଅନୁରୋଧ କ୍ରମେ ସିଡିଆର୍ ପ୍ରଦାନ କରିବାକୁ ହେବ । ଏଥିପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ୍ ରହିଛି ।