fbpx

NPS ରାଶି ରାଜ୍ୟମାନଙ୍କୁ ଫେରସ୍ତ କରାଯିବନି: ପୁରୁଣା ପେନସନ୍ ଯୋଜନାରେ ଝଟକା ଦେଲା PFRDA

ନୂଆଦିଲ୍ଲୀ: ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ତରଫରୁ ପୁରୁଣା ପେନସନ ଯୋଜନାକୁ ନେଇ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ରାଜ୍ୟମାନଙ୍କୁ ଏକ ବଡ଼ ଝଟକା ମିଳିଛି । ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ଅଧିନରେ ସଞ୍ଚିତ ହୋଇଥିବା ଅର୍ଥକୁ ରାଜ୍ୟମାନଙ୍କୁ ପ୍ରଦାନ କରିବା ସମ୍ଭବ ନୁହେଁ ବୋଲି ପିଏଫଆରଡିଏ ପକ୍ଷରୁ କୁହାଯାଇଛି । ଏନପିଏସରେ ଜମା ହୋଇଥିବା ଅର୍ଥକୁ କର୍ମଚାରୀଙ୍କୁ ଫେରସ୍ତ କରିବା ଓ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ରାଜସ୍ଥାନ ଓ ପଞ୍ଜାବ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା ।

ପିଏଫଆରଡିଏ ପକ୍ଷରୁ କୁହାଯାଇଛି, ଏନପିଏସରେ ଜମା ରହିଥିବା ଅର୍ଥ କର୍ମଚାରୀଙ୍କୁ ପ୍ରଦାନ କରିବା ଆଇନଗତ ନୁହେଁ । କର୍ମଚାରୀଙ୍କ ଜମା ଅର୍ଥ ରାଜ୍ୟ ରାଜକୋଷକୁ ସ୍ଥାନାନ୍ତରିତ କରାଯାଇ ପାରିବ ନାହିଁ । ସୂଚନାଯୋଗ୍ୟ ଯେ, ଗତ ୨୦୦୪ରେ ଏନପିଏସକୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିଲା । ପରେ ଅଧିକାଂଶ ରାଜ୍ୟ ଏହାକୁ ଗ୍ରହଣ କରିନେଇଥିଲେ । ବିଶେଷଜ୍ଞଙ୍କ ମତରେ, କର୍ମଚାରୀଙ୍କ ଅର୍ଥକୁ ନିଯୁକ୍ତିଦାତାଙ୍କୁ ଟ୍ରାନ୍ସଫର ନେଇ କୌଣସି ନିୟମ ନାହିଁ । ଏନପିଏସରେ ଉଭୟ କର୍ମଚାର ଓ ସରକାରଙ୍କ ଯୋଗଦାନ ମ୍ୟୁଚୁଆଲ ଭାବେ ରହିଛି ।

ପୁରୁଣା ପେନସନ ଯୋଜନା ଅନୁସାରେ, କର୍ମଚାରୀଙ୍କ ଅବସର ପରେ ମିଳୁଥିବା ବେତନର ଅଧା ରାଶି ପେନସନ ଭାବେ ମିଳିଥାଏ । ପେନସନ ରାଶି ବେସିକ ସାଲାରି ଓ ମହଙ୍ଗା ଦର ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । ମାତ୍ର ନୂଆ ପେନସନ ଯୋଜନା ଏନପିଏସ ଅନୁଯାୟୀ, ମୋଟ ଜମା ରାଶି ଓ ନିବେଶର ରିଟର୍ଣ୍ଣ ଆଧାରରେ ପେନସନ ରାଶି ସ୍ଥିର ହୋଇଥାଏ । ଏଥିରେ ମୂଳ ବେତନ ଓ ଡିଏର ୧୦ ପ୍ରତିଶତ କର୍ମଚାରୀଙ୍କୁ ମିଳିଥାଏ । ଏଥିସହିତ ରାଜ୍ୟ ସରକାରଙ୍କର ମଧ୍ୟ ଯୋଗଦାନ ରହିଥାଏ । ନୂଆ ପେନସନ ଯୋଜନା ବଜାର ଉପରେ କେନ୍ଦ୍ରିତ ରହିଥାଏ ।

Get real time updates directly on you device, subscribe now.