fbpx

OBC Survey: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ସର୍ଭେ ସମୟ ବୃଦ୍ଧି ଘୋଷଣା, ପଛୁଆ ବର୍ଗ ଆୟୋଗଙ୍କ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ୧ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ଅନ୍ୟ ପଛୁଆ ବର୍ଗ (ଓବିସି) ସର୍ଭେ । ମେ ପହିଲାରୁ ଆରମ୍ଭ ହୋଇ ଏହା ୨୦ରେ ସରିବ ଓ ଏହାପରେ ୨୦ରୁ ୨୭ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ ଚାଲିବ ବୋଲି ପୂର୍ବରୁ କୁହାଯାଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ରାଜ୍ୟର ବହୁ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରି ସାରିଛି ।

ତେବେ ପ୍ରଚଣ୍ଡ ରୌଦ୍ର ତାପକୁ ଦୃଷ୍ଟିରେ ରଖି ଓବିସି ସର୍ଭେ କାର୍ଯ୍ୟର ସମୟକୁ ବୃଦ୍ଧି କରାଯାଇଛି । ପଛୁଆ ବର୍ଗ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସର୍ଭେକୁ ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଛୁଟିଦିନ ସହିତ ପ୍ରତ୍ୟେକ ଦିନ ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକଙ୍କର ତଥ୍ୟ ସଂଗ୍ରହ କରିବେ । ଅନ୍ୟପକ୍ଷରେ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ତଥ୍ୟ ପ୍ରଦାନ କରିନାହାନ୍ତି ସେମାନେ ନିଜର ନିଜର ପରିବାର ସଦସ୍ୟଙ୍କ ତଥ୍ୟ ପ୍ରଦାନ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ତେବେ ସର୍ଭେ କେନ୍ଦ୍ରକୁ ଯିବା ସମୟରେ ଜନସାଧାରଣଙ୍କୁ ସାଙ୍ଗରେ ରାଶନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାନ କାର୍ଡ, ପାସପୋର୍ଟ ମଧ୍ୟରୁ କୌଣସି ଗୋଟିଏ ପରିଚୟ ନେବାକୁ ପଡ଼ିବ । ଯେଉଁମାନଙ୍କର ପରିଚୟ ପତ୍ର ନଥିବ ସେମାନେ ମଧ୍ୟ ନିଜର ତଥ୍ୟ ପ୍ରଦାନ କରିପାରିବେ । ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୩୧୪ଟି ବ୍ଲକ, ୧୧୪ଟି ନଗର ନିଗମରେ ଏହି ସର୍ଭେ କାର୍ଯ୍ୟ ଚାଲିଛି । ଗାଁ ଓ ସହରମାନଙ୍କରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ, ସରକାରୀ ଅଧିକାରୀ ଓ ପ୍ରାଥମିକ ଶିକ୍ଷକଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.