ଓବେରୟ ଗ୍ରୁପ କାର୍ଯ୍ୟକାରୀ ଅଧ୍ୟକ୍ଷ PRS ଓବେରୟଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ଭାରତୀୟ ହସ୍ପିଟାଲିଟି ଶିଳ୍ପର ଜଣେ କିମ୍ବଦନ୍ତୀ ପୁରୁଷଙ୍କର ପରଲୋକ ଘଟିଛି । ଓବେରୟ ଗ୍ରୁପ ହୋଟେଲର ଅଧ୍ୟକ୍ଷ ପୃଥ୍ୱୀ ରାଜ ସିଂହ ଓବେରୟ ଆଉ ନାହାନ୍ତି । ୯୪ ବର୍ଷ ବୟସରେ ଓବେରୟ ଗ୍ରୁପର କାର୍ଯ୍ୟକାରୀ ଅଧ୍ୟକ୍ଷ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ଓବେରୟଙ୍କ ବିୟୋଗ ଭାରତୀୟ ହସ୍ପିଟାଲ ଓ ହୋଟେଲ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷତ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଭାରତୀୟ ହସ୍ପିଟାଲିଟି ଶିଳ୍ପର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାରେ ଓବେରଇ ଗ୍ରୁପର ପ୍ରମୁଖ ଭୂମିକା ରହିଥିଲା । ବିଶ୍ୱର ବିଭିନ୍ନ ଦେଶରେ ଓବେରୟ ହୋଟେଲକୁ ପହଞ୍ଚାଇବାର ଶ୍ରେୟ ଶ୍ରୀ ଓବେରୟଙ୍କୁ ଦିଆଯାଇଥାଏ । ଶ୍ରୀ ଓବେରୟ ବ୍ରିଟେନ ଓ ସ୍ୱିଜରଲାଣ୍ଡକୁ ଶିକ୍ଷା ଲାଭ କରିଥିଲେ । ଦେଶକୁ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ୨୦୦୮ରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୧୯୬୭ ମସିହାରେ ନୂଆଦିଲ୍ଲୀଠାରେ ସେ ‘ଓବେରୟ ସେଣ୍ଟର ଅଫ୍ ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ’ ସ୍ଥାପନ କରିଥିଲେ । ଓବେରୟ ହୋଟେଲର ପିତୃପୁରୁଷ ଭାବେ ଜଣାଶୁଣା ଶ୍ରୀ ଓବେରୟ ଗତ ୨୦୨୨ ମସିହାରେ ଇଆଇଏଚ ଲିମିଟେଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଇଆଇଏଚ ଆସୋସିଏଟେଡ୍ ହୋଟେଲ୍ସ ଲିମିଟେଡର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଥିଲେ । ୧୯୨୯ ମସିହା ଫେବୃଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ପିଆରଏସଙ୍କ ପିତାଙ୍କ ନାମ ହେଉଛି ରାୟ ବାହାଦୁର ଏମଏସ ଓବେରୟ । କର୍ମଚାରୀମାନେ ପ୍ରତ୍ୟେକ ସଂସ୍ଥାର ମୂଲ୍ୟବାନ ସମ୍ପତ୍ତି ବୋଲି ପିଆରଏସ ବିଶ୍ୱାସ କରୁଥିଲେ ।