fbpx
BSKY SKY
BSKY SKY

ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ଜିତିଲେ ସ୍ୱର୍ଣ୍ଣ ଓ ରୌପ୍ୟ: ଏସିଆନ୍ ପାରା ଗେମ୍ସରେ ଉଡ଼ିଲା ବିଜୟର ବାନା

BSKY

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଷଷ୍ଠ ତଥା ଅନ୍ତିମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ, ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଓ ପଞ୍ଚମ ଦିନରେ ୭ଟି ସ୍ୱର୍ଣ୍ଣ ସହିତ ୧୭ଟି ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୯୯ରେ ପହଞ୍ଚିବା ସହିତ ସେଥିରେ ୨୫ଟି ସ୍ୱର୍ଣ୍ଣ, ୨୯ଟି ରୌପ୍ୟ ଓ ୪୫ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ତେବେ ଆଜି ଅନ୍ତିମ ଦିବସରେ ହାଙ୍ଗଝୋଉରେ ଚମକିଛନ୍ତି ଆଉ ଜଣେ ଓଡ଼ିଆ କ୍ରୀଡ଼ାବିତ । ପୂର୍ବରୁ ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ, ପୁରୁଷ ଡବଲ୍ସ ଓ ମିକ୍ସଡ ଡବଲ୍ସରେ ୩ଟି ପଦକ ଜିତିଥିଲେ । ପ୍ରମୋଦଙ୍କ ପରେ ଦ୍ୱିତୀୟ ଓଡ଼ିଆ ଭାବେ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି । ଚେସରେ ଭାରତୀୟ ପୁରୁଷ ଟିମ୍ ରାପିଡ ଭି୧-ବି୧ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ବ୍ୟକ୍ତିଗତ ରାପିଡ ଭି୧-ବି୧ରେ ଦର୍ପଣ ଇନାନିଙ୍କୁ ସ୍ୱର୍ଣ୍ଣ, ସୌନ୍ଦର୍ଯ୍ୟଙ୍କୁ ରୌପ୍ୟ ଓ ଅଶ୍ୱିନ ମାକୱାନାଙ୍କୁ ବ୍ରୋଞ୍ଜ ମିଳିଛି ।

ହାଙ୍ଗଝୋଉ ସଂସ୍କରଣରେ ଭାରତ ସର୍ବାଧିକ ପଦକ ଜିତିବା ସହିତ ସର୍ବାଧିକ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଭାରତ ୧୦୦ରୁ ଅଧିକ ପଦକ ଜିତି ଶତକ ଅର୍ଜନ କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗ ନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ଓଡ଼ିଶାରୁ ୭ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

Get real time updates directly on you device, subscribe now.