୮୦ ବର୍ଷରେ ପାଦ ଥାପିଛନ୍ତି ଚର୍ଚ୍ଚିତ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ…

ଓଡିଶା ଭାସ୍କର; ଆଜି ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । ନିଜର ମଜାଳିଆ କଥାବାର୍ତ୍ତା ଓ ବେବାକ୍ ଅନ୍ଦାଜ ପାଇଁ ଓଡ଼ିଶାର ଛୁଆଙ୍କ ଠାରୁ ଆରମ୍ଭ କରି ବୁଢାଙ୍କ ପର୍ୟ୍ୟନ୍ତ ସେ ସମସ୍ତଙ୍କ ପାଖରେ ପରିଚିତ । ସୋସିଆଲ ମିଡ଼ିଆର ସେନ୍ସେସନ ପାଲଟିଥିବା ଏହି ନେତାଙ୍କୁ ଆପଣ ପ୍ରତ୍ୟକ ଦିନ ରାତି ପାହିଲେ ଗଣମାଧ୍ୟମ ଜରିଆରେ ଦେଖିବାକୁ ପାଇଥା’ନ୍ତି । ମାଡି ଚାଲ ଡାଇଲଗ ସାଙ୍ଗକୁ “ଓଃ ବିୟୁଟିଫୁଲ୍” ତ ଆଉ କେତେବେଳେ ପୁଣି “ରେଡି ତ” ଡାଇଲଗ ଶୁଣି ଆପଣ ବି ଟିକିଏ ମୁରୁକି ମୁରୁକି ହସି ଥା’ନ୍ତି । ଯେତେବେଳେ ଯାହା ବି କୁହନ୍ତି ଏକଦମ ରୋକଠୋକ କଥା କୁହନ୍ତି । ବୟସାଧିକ ସତ୍ତ୍ୱେ ବି ସବୁବେଳେ ସେ ଫିଟ ଆଣ୍ଡ ଫାଇନ । ବୟସ ତାଙ୍କୁ ଆଜି ୮୦ ଛୁଇଁଥିବା ବେଳେ ବି ସେ ନିଜକୁ ଯୁବକ ଭଳି ସୁସ୍ଥ ରଖିଛନ୍ତି । ଆଜି ୮୦ ତମ ଜନ୍ମ ଦିବସ ଅବସରରେ ସୁରଙ୍କୁ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି, ଦଳମତ ନିର୍ବିଶେଷରେ ସମସ୍ତେ ନିଜ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

ବିଜେବି କଲେଜରେ ପାଠ ପଢ଼ୁଥିବା ବେଳେ ସୁରେଶ ନିଜର ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହି ସମୟରେ ସେ ଜନତା ଦଳରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ଓ ଏହା ପରେ ଆରମ୍ଭ କରିଥିଲେ କଂଗ୍ରେସ ରାଜନୀତି । ପରେ କଂଗ୍ରେସ ଟିକେଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ନେତା ହୋଇଥିଲେ ବି ଓଡିଶା ରାଜନୀତିରେ ତାଙ୍କର ବେଶ୍ ଦବଦବା ରହିଛି । କଂଗ୍ରେସରେ ଅଛନ୍ତି ଓ ମଲା ଯାଏଁ କଂଗ୍ରେସରେ ହିଁ ରହିବେ ବୋଲି ସେ ବହୁବାର ମତାମତ ରଖିଛନ୍ତି ।

ସୂଚନା ଥାଉକି, ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ସେ ଲଢ଼ିବେ ନାହିଁ ବୋଲି ସୁରେଶ ରାଉତରାୟ କହିଛନ୍ତି । ତାଙ୍କ ବଦଳରେ ଏଥର ତାଙ୍କ ପୁଅ ଜଟଣୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିବେ ବୋଲି ସାଧାରଣରେ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି ।