fbpx

ବିଶ୍ୱରେ ବଢ଼ୁଛି ଓଡ଼ିଶାର ଭିଟାମିନଯୁକ୍ତ ଚାଉଳର ଗ୍ରହଣୀୟତା: ଗବେଷଣା ଆରମ୍ଭ କରିବ ବିଦେଶୀ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପ୍ରସ୍ତୁତ ଚାଉଳର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ସେଥିପାଇଁ ଏହାର ମାନକ ଓ ଗୁଣବତ୍ତା ପରୀକ୍ଷା କରିବା ସହିତ ଏହା ଉପରେ ଗବେଷଣା କରିବା ପାଇଁ ବିଦେଶୀ ପ୍ରତିନିଧି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ପ୍ରତିନିଧି ଦଳ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ସହିତ ଲୋକସଭା ଭବନରେ ଅନୁଷ୍ଠିତ ବୈଠକରେ ସାମିଲ ହେଶଇଥିଲେ ।
ସୂଚନା ମୁତାବକ, ରାଜ୍ୟରେ ପ୍ରସ୍ତୁତ ହେଉଥିବା ଭିଟାମିନଯୁକ୍ତ ପୁଷ୍ଟିବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ)ର ଗ୍ରହଣୀୟତା ବିଦେଶରେ ବଢ଼ିବାରେ ଲାଗିଛି । ସେଥିପାଇଁ ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ ଏହି ଚାଉଳର ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ବିଷୟରେ ଜାଣିବାକୁ ଓଡ଼ିଶା ଆସିଛନ୍ତି । ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ନିୟାମକ ସଂସ୍ଥାର ଅଧିକାରୀଙ୍କ ସହ ୧୩ ଜଣିଆ ଟିମ୍ ଆସିଛନ୍ତି । ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ସହାୟତାରେ ସେମାନେ ଆସିଥିବା ଜଣାପଡ଼ିଛି ।
ପ୍ରାଥମିକ ଅଭିଜ୍ଞତା ହାସଲ କରିବା ଓ ଜ୍ଞାନ ପ୍ରଦାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ଚାଉଳ ଫର୍ଟିଫିକେସନ ସ୍ଥାନ ପରିଦର୍ଶନ କରିବା ସହ ବ୍ୟବହୃତ ହୋଇଥିବା ଯନ୍ତ୍ରପାତି, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଓ ନିରାପତ୍ତା ମାନକ ପ୍ରକ୍ରିୟା ସମ୍ପର୍କରେ ଅବଗତ ହେବେ । ତେବେ ଆଗାମୀ ଦିନରେ ଏହି ଚାଉଳର ଗ୍ରହଣୀୟତା ବିଶ୍ୱସ୍ତରରେ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଏହି ଟିମ୍ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଭେଟିବା ସହ ଲୋକସଭା ଭବନରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.