ଭୁବନେଶ୍ୱର: ଗୃହରକ୍ଷୀଙ୍କ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା (DCA) ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଗୃହରକ୍ଷୀ ମାନଙ୍କୁ ୪୨୩ ବଦଳରେ ୫୩୩ ଟଙ୍କା ମିଳିବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ସରକାର ନିଷ୍ପତି ନେଇଛନ୍ତି। ସମାନ କାମକୁ ସମାନ ଦରମା ନେଇ ପ୍ରଥମେ ମାନ୍ୟବର ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ।
ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ମାମଲାର ରାୟ ଦେଇଥିଲେ। ଏବେ ରାଜ୍ୟ ସରକାର କୋର୍ଟଙ୍କ ଏହି ରାୟକୁ କାର୍ଯ୍ୟକାରୀ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ସମସ୍ତ ରାଜ୍ୟଙ୍କୁ ମାନ୍ୟବର ସୁପ୍ରିମକୋର୍ଟ କନେଷ୍ଟବଳ ମାନେ ଯେଉଁ ବେତନ ପାଇବେ ଗୃହରକ୍ଷୀ ମାନେ ମଧ୍ୟ ସେହି ବେତନ ପାଇବେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ରାଜ୍ୟ ଏହି ନିଷ୍ପତ୍ତିକୁ ମାନିଥିଲେ ମଧ୍ୟ ରାଜ୍ୟ ସରକାର ଏ ରାୟକୁ କର୍ଣ୍ଣପାତ କରି ନଥିଲେ। ଏନେଇ ୨୦୧୮ ମସିହାରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଗୃହରକ୍ଷୀ ମହାସଂଘ। ଶେଷରେ ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦରମା ୪୨୩ ଟଙ୍କାରୁ ୫୩୩ ଟଙ୍କାକୁ ବୃଦ୍ଧି କରିଛନ୍ତି