fbpx
BSKY
BJD MC SKY
BJD YOUTH SKY

ତୈଳରୁ ଓଡ଼ିଶା ସରକାରଙ୍କ ଆୟ ୬୭୫ କୋଟି ଓ ମଦରୁ ରାଜସ୍ୱ ସଂଗ୍ରହ ହୋଇଛି ୧୬୮ କୋଟି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଟିକସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ଭରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଓଡିଶା ସରକାରଙ୍କୁ ଭରପୁର ଫାଇଦା ହୋଇଛି । ଚଳିତ ବର୍ଷ ନଭେମ୍ବର ମାସରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲଗାଯାଇଥିବା ଟିକସରୁ ଓଡ଼ିଶା ସରକାର ୬୭୫.୯୩ କୋଟି ଟଙ୍କା ଆୟ କରିଛନ୍ତି । ୨୦୨୦ ନଭେମ୍ବରରେ ହୋଇଥିବା ଆୟ ଠାରୁ ଏହା ୨୯.୮୫% ଅଧିକ । ୨୦୨୦ରେ ୫୨୦.୫୬ କୋଟି ଟଙ୍କା ଆୟ କରିଥିଲେ ଓଡ଼ିଶା ସରକାର ।

ସେହିପରି ରାଜ୍ୟରେ ବେଶ ଭଲ ପରିମାଣର ମଦ ମଧ୍ୟ ବିକ୍ରି ହୋଇଛି । ୨୦୨୦ ତୁଳନାରେ ୨୦୨୧ ରେ ମଦ ବିକ୍ରି ଅନେକ ବଢିଛି । ନଭେମ୍ବର ମାସରେ ମଦରୁ ରାଜ୍ୟ ସରକାର ୧୬୮.୫୨ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି । ଗତବର୍ଷ ନଭେମ୍ବରରେ ହୋଇଥିବା ୮୧.୦୯ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ମଦରୁ ୧୦୭.୮୨ ପ୍ରତିଶତ ଅଧିକ ରାଜସ୍ବ ମିଳିଛି । ଉଭୟ ପେଟ୍ରୋଲିୟମ୍ ସାମଗ୍ରୀ ଓ ମଦରୁ କେନ୍ଦ୍ର ସରକାର ଭାଟ୍ ସୂତ୍ରରେ ୮୪୪.୪୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି।

ଚଳିତ ବର୍ଷ ନଭେମ୍ବରରେ ରାଜ୍ୟରେ ୪,୧୩୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି ଯାହା ଗତବର୍ଷ ଏହି ମାସରେ ହୋଇଥିବା ୨୫୨୮ କୋଟି ଟଙ୍କା ତୁଳନାରେ ୬୪% ଅଧିକ। ଚଳିତ ବର୍ଷ ନଭେମ୍ବରରେ ୧୧୫୭.୬୯ କୋଟି ଟଙ୍କା ଓଡ଼ିଶା ଜିଏସ୍‌ଟି (ଓଜିଏସ୍‌ଟି), ୧୦୦୧.୦୮ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୧୨୨୩.୨୪ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୭୫୩.୭୭ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି । କ୍ରମାଗତ ତୃତୀୟ ମାସ ଲାଗି ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଜିଏସ୍‌ଟି ସଂଗ୍ରହରେ ଓଡ଼ିଶା ସର୍ବାଧିକ ଅଭିବୃଦ୍ଧି ହାସଲ କରିବାର ରେକର୍ଡ କରିଛି।

ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍‌ଙ୍କ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଓଡ଼ିଶାରେ ମୋଟ ୨୮,୦୩୨.୯୮ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଗତବର୍ଷ ଏହି ସମୟରେ ହୋଇଥିବା ୧୭,୨୨୯.୨୬ କୋଟି ଟଙ୍କା ତୁଳନାରେ ୬୨.୭୧ ପ୍ରତିଶତ ଅଧିକ। ୨୦୨୧ ନଭେମ୍ବରରେ ଅଟୋମୋବାଇଲ୍, ଖଣି ଓ ମାନୁଫାକ୍‌ଚରିଂ କ୍ଷେତ୍ରରୁ ଅଧିକ ଟିକସ ସଂଗ୍ରହ କରାଯାଇଥିବାରୁ ମୋଟ ଜିଏସ୍‌ଟି ସଂଗ୍ରହ ଏତେ ଅଧିକ ହୋଇପାରିଛି।

 

Get real time updates directly on you device, subscribe now.