fbpx

ଫଳ ଓ ପନିପରିବା ଉତ୍ପାଦନରେ ଓଡ଼ିଶାର ସ୍ଥାନ ଅନ୍ୟତମ: ଜାଣନ୍ତୁ ୧୦ ବର୍ଷରେ କେତେ ବଢିଛି ପନିପରିବା ଉତ୍ପାଦନ ?

ଭୁବନେଶ୍ୱର: ଉଦ୍ୟାନ କୃଷି ସଫଳତାର ସହ କୃଷକଙ୍କ ନିକଟରେ ପହଞ୍ଚି ପାରିଛି। ଜାତୀୟ ଉଦ୍ୟାନ ବୋର୍ଡ ତଥ୍ୟ ଅନୁଯାୟୀ ସର୍ବଭାରତୀୟସ୍ତରରେ ଫଳ ଓ ପନିପରିବା ଉତ୍ପାଦନରେ ଓଡ଼ିଶାର ସ୍ଥାନ ଅନ୍ୟତମ। କନ୍ଦମୂଳରେ ଓଡ଼ିଶା ପ୍ରଥମ ସ୍ଥାନରେ ଥିବାବେଳେ ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି ଓ ବିଲାତିବାଇଗଣ ଓ ତରଭୁଜରେ ପଞ୍ଚମ ସ୍ଥାନ ଅଧିକାର କରିଛି। ଗତ ୧୦ ବର୍ଷ ମଧ୍ୟରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ କୃଷକ ଓ ଅନ୍ୟାନ୍ୟ ସଂସ୍ଥାକୁ ଆମ୍ବ, କାଜୁ, କମଳା, ଲେମ୍ବୁ, ଲିଚୁ, ଡାଳିମ୍ବ, ନଡ଼ିଆ ଓ ପିଜୁଳିର ୩ କୋଟି ୬୪ ଲକ୍ଷ ଚାରା ଯୋଗାଇ ଦେଇଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶସ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ବିଧାୟକ କୁସୁମ ଟେଟେ, ପ୍ରଦୀପ ଦିଶାରୀ, ସୁରେଶ କୁମାର ରାଉତରାୟ, ରମେଶ ଚନ୍ଦ୍ର ବେହେରା, ବିଷ୍ଣୁ ଚରଣ ସେଠୀ, ଅମର ଶତପଥୀ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ଉଦ୍ୟାନ କୃଷି ବିଭାଗ ରାଜ୍ୟରେ ଫଳ ଉତ୍ପାଦନ କରିବାକୁ କି ପଦକ୍ଷେପ ନେଇଛି। ରାୟାୟନିକ ସାର ବଦଳରେ ଜୈବିକ ସାର ଯୋଗାଇ ଦେବେ କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ ୨୦୧୫ରୁ ୨୦୨୨ ମଧ୍ୟରେ ରାଜ୍ୟରେ ୧୭ % ଫଳ ଉତ୍ପାଦନ ବୃଦ୍ଧି ପାଇଛି। ସେହିପରି ୯.୪ ପ୍ରତିଶତ ପରିବା ଉତ୍ପାଦନ ବଢ଼ିଛି। ୨୦୨୧ – ୨୨ରେ ଖତ ବାବଦରେ ୧୫ କୋଟି, ୨୦୨୦ – ୨୧ରେ ୧୦ କୋଟି, ୨୦୧୯–୨୦ରେ ୫ କୋଟି, ୨୦୧୮ ୧୯ରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

Get real time updates directly on you device, subscribe now.