fbpx

ପୁଣି ରାଜ୍ୟକୁ ଲେଉଟିବ ଜାଡ଼: ୩ ଦିନରେ ୪ ଡିଗ୍ରି ଖସିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ପୁଣିଥରେ ଲେଉଟିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ । ଗତ ୪ରୁ ୫ ଦିନ ହେବ ରାଜ୍ୟରେ ପଶ୍ଚିମା ଝଡ଼ କାରଣରୁ ପାଗ କୋହଲା ରହିଛି । ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହେଉଛି । ଆଜି ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ତେବେ ଆଉ ୨୪ ଘଣ୍ଟା ଏଭଳି ସ୍ଥିତି ରହିବା ପରେ ପାଗରେ ପରିବର୍ତ୍ତନ ଆସିପାରେ । ଶୀତ ପୁଣି ଲେଉଟିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାୟତଃ ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ପର୍ଷା ହେବ । ସର୍ବାଧିକ ବର୍ଷା ରାୟଗଡ଼ା ଜିଲ୍ଲା କୋତ୍ରାଗୁଡ଼ାରେ ୬୫.୬ ମିମି ରେକର୍ଡ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନରେ ୬୪.୦ ମିମି, ଗଜପତି ଜିଲ୍ଲା ନୂଆଗଡ଼ରେ ୫୭.୮ ମିମି ଲେଖାଏଁ ବର୍ଷା ହୋଇଥିବା ଜଣାଯାଇଛି। ବର୍ଷା ଯୋଗୁଁ ସର୍ବନିମ୍ନ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଆଦି ଜିଲ୍ଲା‌ର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୬ତାରିଖରୁ ପାଗରେ ପରିବର୍ତ୍ତନ ଦେଖାଦେବ। ଖରାଟିଆ ଓ ଶୁଖିଲା ରହିବ। ୧୬ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.