fbpx

କାଲିଠୁ ଗଡିବନି ବସ୍ ; ନିଜ ନିଷ୍ପତିରେ ଅଟଳ ରହିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର; କାଲିଠୁ ରାଜ୍ୟରେ ଗଡିବନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆସନ୍ତା କାଲିଠାରୁ ଧର୍ମଘଟ କରିବାକୁ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । କାଲି ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ ଚାଲିବ ବୋଲି ଆଜି ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ । ସରକାରଙ୍କ ଲିଖିତ ପ୍ରତିଶୃତି ନ ମିଳିବାରୁ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ପୂର୍ବ ଘୋଷଣା ମୁତାବକ ଆସନ୍ତା କାଲିଠାରୁ ରାଜ୍ୟରେ କୌଣସି ଘରୋଇ ବସ୍ ଚାଲିବ ନାହିଁ ।

ସରକାରଙ୍କ “ଲକ୍ଷ୍ମୀ” ଯୋଜନାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ଏହି ଧର୍ମଘଟ କରିବାକୁ ଯାଉଛି । “ଲକ୍ଷ୍ମୀ” ଯୋଜନା ଭଳି ଏକ ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ ବୋଲି ସଙ୍ଘ ଦାବି କରିଛି । ଯଦି ସରକାର ଚାହୁଁଛନ୍ତି ତେବେ ସେ ଗାଁ’ରୁ ବ୍ଲକ ପର୍ୟ୍ୟନ୍ତ ସରକାରୀ ବସ ଚଲାନ୍ତୁ । କିନ୍ତୁ ବ୍ଲକରୁ ଜିଲ୍ଲା କିମ୍ବା ସହରକୁ କୌଣସି ସରକାରୀ ବସ ନ ଚଲାନ୍ତୁ ବୋଲି ସଙ୍ଘ ସରକାରଙ୍କ ପାଖରେ ଦାବି କରିଛି। ପୂଜା ସମୟରେ ଧର୍ମଘଟ କରିବା ଆମର ଉଦେଶ୍ୟ ନୁହେଁ କିନ୍ତୁ ପୂଜା ଛୁଟିରେ ଧର୍ମଘଟ କରିବାକୁ ପରିସ୍ଥିତି ଆମକୁ ବାଧ୍ୟ କରିଛି । ପୂଜା ସମୟରେ ଧର୍ମଘଟ କରୁଛୁ, ଏଥିରେ ସମସ୍ତ ଯାତ୍ରୀମାନେ ହଇରାଣ ହେବେ ତେଣୁ ଆମେ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛୁ ବୋଲି ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ସୂଚନା ଥାଉକି, ଗତ ୯ ତାରିଖ ଦିନ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ସଂଘ ନିଷ୍ପତି ନେଇଥିଲା । ଏନେଇ ପ୍ରେସମିଟରେ ବସ୍ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଏହି ଧର୍ମଘଟକୁ ସ୍ଥଗିତ ରଖିବାକୁ ସଙ୍ଘ ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା ହୋଇଥିଲା। ଏହି ବୈଠକରେ ସରକାରଙ୍କ ସହ ସଂଘର ସକରାତ୍ମକ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ପ୍ରତିଶୃତି ପରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତି ନେଇଥିଲା । ମାତ୍ର ଏବେ ପୁଣି ଆସନ୍ତା ୨୦ ତାରିଖରେ ଧର୍ମଘଟ ଡାକରା ଦେଇଛି ବସ ମାଲିକ ସଙ୍ଘ । ଯଦି ସରକାରଙ୍କ ଠାରୁ ଲିଖିତ ପ୍ରତିଶୃତି ମିଳିବ ତେବେ ଧର୍ମଘଟକୁ ସ୍ଥଗିତ ରଖାଯିବ ବୋଲି ସଂଘ ପକ୍ଷରୁ ପ୍ରେସମିଟରେ କୁହାଯାଇଛି । ସେପଟେ ଏହି ପୂଜା ସମୟରେ ଧର୍ମଘଟ ଚାଲେ ତେବେ ଅନେକ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବେ । ବିଶେଷକରି ପୂଜାଛୁଟି ସମୟରେ ଲୋକେ ଘରକୁ ଓ ବୁଲାବୁଲି କରିବାକୁ ଯିବେ, ମାତ୍ର ଏହି ସମୟରେ ବସ ବନ୍ଦ ରହିଲେ ସେମାନଙ୍କ ଯାତାୟାତରେ ବାଧାପ୍ରାପ୍ତ ହେବ । ଅନ୍ୟପଟେ କାଲି ବସ୍ ଚଳାଚଳ ବନ୍ଦ ରହିବା ଖବର ପାଇ ଯାତ୍ରୀମାନେ ଆଗୁଆ ଘରକୁ ବାହାରିଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.