fbpx

‘ଡଗ୍ ଟ୍ରେନିଙ୍ଗ୍‌ ସେଣ୍ଟର୍‌’ ରେ କୁକୁରକୁ ହତ୍ୟା; ସିସିଟିଭିରେ କଏଦ ହେଲା ଦଉଡ଼ିରେ ଗାଙ୍ଗିବା ବେଳର ଦୃଶ୍ୟ

ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶର ଭୋପାଳରୁ ଆସିଲା ଏକ ହୃଦୟ ବିଦାରକ ଘଟଣା। କୁକୁରକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ଖବର। କୁକୁର ‘ଟ୍ରେନିଙ୍ଗ୍‌ ସେଣ୍ଟର୍‌’ ଗେଟ୍‌ରେ ଏକ କୁକୁରକୁ ଦଉଡ଼ିରେ ଗାଙ୍ଗି ହତ୍ୟା କରାଯାଇଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା। ତେବେ ଏହି ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ପଶୁପ୍ରେମୀଙ୍କୁ ଝଟକା ଲାଗିଛି । ଖବର ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ରବି କୁଶୱାହ, ନେହା ତିୱାରୀ ଓ ତରୁଣ ଦାସଙ୍କୁ ପୋଲିସ ଗିରଫ କରିଛି। ସେପଟେ କୁକୁର ମାଲିକ ନୀଳେଶ ଜୈସୱାଲ୍‌ କହିଛନ୍ତି, ‘ମୁଁ ମୋ କୁକୁରକୁ ୪ ମାସ ପାଇଁ ‘ଆଲ୍‌ଫା ଡଗ୍‌ ଟ୍ରେନିଙ୍ଗ୍‌ ଆଣ୍ଡ୍‌ ବୋର୍ଡିଙ୍ଗ୍‌ ସେଣ୍ଟର୍‌’ରେ ଛାଡ଼ିଥିଲି ।

ସୁଲତାନ କଥା ବହୁତ ମନେ ପଡ଼ିବାରୁ, ଘରକୁ ଆଣିବାକୁ ତାଲିମ କେନ୍ଦ୍ର ସହିତ ଯୋଗାଯୋଗ କରିଥିଲି। ହେଲେ ସେମାନେ କହିଥିଲେ ମୋ କୁକୁର ମରି ଯାଇଛି। ଏକଥା ଶୁଣି ମୁଁ ଦୁଃଖରେ ଭାଙ୍ଗି ପଡ଼ିଛି। ଏବେବି ମୋ କୁକୁର ସୁଲତାନର ମୃତ୍ୟୁକୁ ମୁଁ ବିଶ୍ବାସ କରି ପାରୁ ନାହିଁ। ସୁଲତାନର ମୃତ୍ୟୁକୁ ମୁଁ ବିଶ୍ବାସ କରି ନପାରି ତାଲିମ କେନ୍ଦ୍ରର ‘ସିସିଟିଭି’ ଫୁଟେଜ୍‌ ଦେଖିବାକୁ ଦାବି କରିଥିଲି। ‘ଫୁଟେଜ୍‌’ରେ ଯାହା ଦେଖିଲି ମୋ ପାଦ ତଳୁ ମାଟି ଖସିଗଲା । ଦେଖିଲି ଖୁଶ୍‌ୱାହ୍‌, ତିୱାରୀ ଓ ଦାସ ମୋ କୁକୁରକୁ ବାନ୍ଧି ଉପରକୁ ଟେକି ଗେଟ୍‌ରେ ଝୁଲାଇ ଦେଉଛନ୍ତି। ମୁକୁଳିବାକୁ ପ୍ରାୟ ୧୦ ମିନିଟ୍‌ କାଳ କୁକୁରଟି ଛଟପଟ ହୋଇ ମରିଯାଇଥିଲା। ସେ ଦୃଶ୍ୟକୁ ଦେଖି ମୋ ମୁଣ୍ଡ କାମକରିନଥିଲା ।’

Get real time updates directly on you device, subscribe now.