fbpx
BJD SKY
BJD SKY

ମଇ ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ : ଆହୁରି ୨ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

BJD

ଭୁବନେଶ୍ୱର: ପଶ୍ଚିମା ଏବଂ ଉତ୍ତର ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ସମଗ୍ର ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଲୋକମାନେ ପ୍ରବଳ ଗରମରେ ଆଉଟୁପାଉଟୁ ହେଉଛନ୍ତି । ତେବେ ଆଭ୍ୟନ୍ତରୀଣ ଅପେକ୍ଷା ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ତେଣୁ ଟ୍ୱିନସିଟି ସମେତ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ଆ ଲର୍ଟ ଜାରି କରାଯାଇଛି । ଉପକୂଳରେ ଗୁଳୁଗୁଳି ହେବାର ପ୍ରମୁଖ କାରଣ ହେଉଛି ସବୁଠି ଆର୍ଦ୍ରତା ୬୫ ପ୍ରତିଶତରୁ ଅଧିକ ରହୁଛି । ଏହାଛଡ଼ା ରାଜ୍ୟ ଭିତରକୁ ଗରମ ପବନ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ତାପମାତ୍ରା ଆହୁରି ୨ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କଟକ ଓ ଭୁବନେଶ୍ୱରକୁ ମଧ୍ୟ ରେଡ୍ଆ ଲର୍ଟରେ ରଖାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟର କେତେକ ଅଞ୍ଚଳରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ କେତେକ ଅଞ୍ଚଳରେ ୪୫ ଡିଗ୍ରୀ ତାପମାତ୍ରା ହେବାର ସମ୍ଭାବନା ରହିଛି । ମଇ ୧ ତାରିଖ ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସାମୁଦ୍ରିକ ବାୟୁର ପ୍ରଭାବରେ ୨, ୩ ଓ ୪ ତାରିଖରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି । ତେବେ ଏହିସବୁ ଜିଲ୍ଲାରେ ହିଟ୍ୱେଭ୍ ସ୍ଥିତି ନ ଉପୁଜିଲେ ବି ଉପକୂଳ ଓଡ଼ିଶାରେ ହିଟ୍ୱେଭ୍ ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ରବିବାର ରାଜ୍ୟର ୨୭ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଉପରେ ରହିଥିବା ରେକର୍ଡ ହୋଇଛି । ସେହିପରି ୧୨ ସହରରେ ଦିନର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରବିବାର ଅନୁଗୋଳ ୪୪.୩ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ତା ତଳକୁ ରହିଛି ବୌଦ୍ଧ । ବୌଦ୍ଧର ସର୍ବୋଚ୍ଚ ତାପମାତ୍ରା ୪୪.୧ ଡିଗ୍ରୀ ହୋଇଥିବାବେଳେ ବାରିପଦାରେ ୪୪, ନୟାଗଡ଼ ଓ କଟକରେ ୪୩.୭, ଢେଙ୍କାନାଳରେ ୪୩.୬, ତାଳଚେର, ଟିଟିଲାଗଡ଼ ଓ ମାଲକାନଗିରିରେ ୪୩.୫, ବଲାଙ୍ଗୀରରେ ୪୩.୩, ଭୁବନେଶ୍ୱରରେ ୪୩.୨ ଓ ଭବାନୀପାଟଣାରେ ୪୩ ଡିଗ୍ରୀ ରେକର୍ଡ ହୋଇଛି ।

ସେହିଭଳି ପାରଳାଖେମୁଣ୍ଡିରେ ୪୨.୮, କେନ୍ଦୁଝରରେ ୪୩.୭, ଯାଜପୁରରେ ୪୨.୫, କେନ୍ଦ୍ରାପଡ଼ାରେ ୪୨.୪, ଚାନ୍ଦବାଲିରେ ୪୨.୨, ଜଗତସିଂହପୁର ଓ ଭଦ୍ରକରେ ୪୨, ଖୋଦ୍ଧର୍୍ାରେ ୪୧.୫, ବାଲେଶ୍ୱରରେ ୪୧.୪, ସୋନପୁରରେ ୪୧.୩, ନୂଆପଡ଼ା ଓ ଫୁଲବାଣୀରେ ୪୧.୨, ଛତ୍ରପୁରରେ ୪୦.୮, ରାଉରକେଲାରେ ୪୦.୬ ଓ ରାୟଗଡ଼ାରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ୪ ଦିନ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବୟସ୍କ, ହୃଦରୋଗୀ, ମଧୁମେହ ରୋଗୀ, ଶିଶୁ ଓ ଗର୍ଭବତୀ ମହିଳା ଅତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରିବା ଉଚିତ ନୁହେଁ । ସେହିପରି ପାଣିପାଗ ବିଭାଗ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛି ।

Get real time updates directly on you device, subscribe now.