fbpx

(Video) ଶଙ୍ଖ ଧରି ମଇଦାନରେ ମା-ପୁଅ ଯୋଡ଼ି: ସମ୍ବଲପୁରରେ ବବି, କୋରେଇରେ ସନ୍ଧ୍ୟାରାଣୀ ଲଢିବେ ନିର୍ବାଚନ

Advertisement

ଓଡ଼ିଶା ଭାସ୍କର: ବିଜେଡିର ଶଙ୍ଖକୁ ଧରି ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି ମା ପୁଅ ଯୋଡ଼ି । ସମ୍ବଲପୁର ଲୋକସଭା ଆସନରୁ ଲଢୁଛନ୍ତି ପୁଅ ଏବଂ କୋରେଇ ବିଧାନସଭା ଆସନରୁ ଲଢୁଛନ୍ତି ମା’ । ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ପ୍ରଚାର ପ୍ରସାର କରୁଥିବା ବେଳେ ମା’ ସନ୍ଧ୍ୟାରାଣୀ ଦାସ ବି କୋରଇରେ ରାଜନୈତିକ ଗୋଟି ଚଳାଇଛନ୍ତି । ଏହି ମା-ପୁଅଙ୍କ ରାଜନୀତି ଏବେ ସବୁଠି ଚର୍ଚ୍ଚାରେ । ବିଜେଡି ଟିକେଟରେ ମୈଦାନକୁ ଓହ୍ଲାଇ ସ୍ୱାମୀ ଦେଖିଥିବା ସ୍ୱପ୍ନକୁ ପୁରଣ କରିବା ପାଇଁ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି ବିଜେଡିର ବିଧାୟିକା ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସ ।

ଯାଜପୁରର ମୁକୁଟ ବିହୀନ ସମ୍ରାଟ ତଥା କୋରେଇ ନିର୍ବାଚନ ମଣ୍ଡଳୀରୁ ଛ ଥରର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦିବଂଗତ ନେତା ଅଶୋକ ଦାସଙ୍କ ପତ୍ନୀ ହେଉଛନ୍ତି ସନ୍ଧ୍ୟାରାଣୀ ଦାସ । କୋରେଇକୁ ସାରା ଓଡିଶାରେ ଏକ ବିକଶିତ ନିର୍ବାଚନ ମଣ୍ଡଳୀ ଭାବେ ଗଢି ତୋଳିବା ସ୍ୱର୍ଗତ ଦାସଙ୍କର ଏକମାତ୍ର ସ୍ୱପ୍ନ ରହିଥିଲା । ସେଥିପାଇଁ ଦିନ ରାତି ଏକ କରି କୋରେଇ ବାସୀଙ୍କ ବିକାଶ ପାଇଁ ଲଢେଇ କରୁଥିଲେ ଅଶୋକ । ସେଥିପାଇଁ ଆଜି କେବଳ କୋରେଇ ନୁହେଁ, ସମଗ୍ର ଯାଜପୁରରେ ସ୍ୱର୍ଗତ ଅଶୋକ ଦାସଙ୍କ ନାଁ ବେଶ୍ ପରିଚିତ । ତେବେ ଅଶୋକ ଦାସଙ୍କ ପରେ ପୁଅ ବବି ଦାସ ମଧ୍ୟ ଯାଜପୁରର ବିଧାୟକ ଭାବରେ ଅନେକ କାର୍ଯ୍ୟ କରି ଦେଖାଇଛନ୍ତି । ବାପାଙ୍କ ପାଦଚିହ୍ନରେ ଚାଲି ନିଜ ଅଞ୍ଚଳକୁ ଖୁବ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି ବବି ଦାସ । ଯାହାର ପରିଣାମରେ ସେ ଆଜି ବିଜେଡିର ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଥିବା ବେଳେ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ପାଇଁ ମଧ୍ୟ ଟିକେଟ ପାଇଛନ୍ତି ।

ତେବେ ବବି ଦାସଙ୍କ ବାପା ସ୍ୱର୍ଗତ ଅଶୋକ ଦାସ ପ୍ରଥମେ ୧୯୭୪ ରୁ ଏବଂ ପରେ ୧୯୭୭, ୧୯୮୦, ୧୯୯୦, ୧୯୯୫, ଏବଂ ଶେଷ ଥର ପାଇଁ ୨୦୦୦ମସିହାରୁ କୋରେଇର ବିଧାୟକ ଭାବରେ ନିର୍ବାଚିତ ହୋଇ ଓଡିଶା ବିଧାନସଭାକୁ ଯାଇଥିଲେ । ଏହି ସମୟ କାଳରେ କୋରେଇର ବିକାଶ ଶୁଭାରମ୍ଭ କରିଥିଲେ ସ୍ୱର୍ଗତ ଦାସ । କିନ୍ତୁ ତାଙ୍କ ସ୍ୱପ୍ନକୁ ସାକାର ହେଉଥିବାର ଦେଖିବା ପୂର୍ବରୁ ସେ ଆଖି ବୁଜିଛନ୍ତି । ଏବେ ସ୍ୱାମୀଙ୍କ ସେହି ଅଧୁରା ସ୍ୱପ୍ନ ପୂରଣ ପାଇଁ ସ୍ତ୍ରୀ ସନ୍ଧ୍ୟାରାଣି ଓହ୍ଲାଇଛନ୍ତି ନିର୍ବାଚନୀ ମୈଦାନକୁ, କୋରେଇକୁ ଏକ ନମ୍ବର କରିବା ଲକ୍ଷ୍ୟ ଅଶୋକ ଦାସଙ୍କ ସମର୍ଥକଙ୍କ ମହଲରେ ଉତ୍ସାହ ଭରିଥିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.