fbpx

ବେକାରୀରେ ଓଡ଼ିଶାର ସ୍ଥାନ ଚତୁର୍ଥ

ନୂଆଦିଲ୍ଲୀ: ଦେଶର ସହରାଞ୍ଚଳ ତଥା ଗ୍ରାମାଂଚଳରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର ହାର ଏବେ ଚିନ୍ତାଜନକ ପରିସ୍ଥିତିରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷର ତ୍ରୟମାସରେ ବେକାରୀ ହାର ୭.୮ ପ୍ରତିଶତ ଥିଲା। ଏହାପରେ ୨୦୨୦ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ଅବଧିରେ ସହରାଞ୍ଚଳରେ ବେକାରୀ ହାର ୧୦.୩ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ (ଏନଏସଓ) ପିଏଲଏଫଏସ ରିପୋର୍ଟରୁ ଏହା ଜଣାଯାଇଛି। ଗତ ଆର୍ଥିକ ବର୍ଷରେ କରୋନା ମହାମାରୀ ପାଇଁ ଅନେକ ଲୋକ ସେମାନଙ୍କ ଜୀବିକା ହରାଇବା କାରଣରୁ ସହରାଞ୍ଚଳରେ ବେକାରୀ ହାର ବଢିଛି । ତେବେ ଭାରତରେ ମହାମାରୀ ଏବଂ ଲକଡାଉନ୍ ଆରମ୍ଭ ସମୟରେ ୨୦୧୯-୨୦ର ଏପ୍ରିଲ-ଜୁନ୍‌‌ରେ ବେକାରୀ ହାର ୨୦.୮ ପ୍ରତିଶତ ଭଳି ଉଚ୍ଚସ୍ତରରେ ଥିବାବେଳେ ଜୁଲାଇ-ସେପ୍ଟେମ୍ବର ମାସରେ ତାହା ୧୩.୨ ପ୍ରତିଶତକୁ ହ୍ରାସ ପାଇଥିଲା । ତେବେ ଦ୍ବିତୀୟ ଲହର ପରେ କଟକଣାକୁ କୋହଳ କରାଯିବାପରେ ଅର୍ଥନୀତିରେ କିଛିଟା ଉନ୍ନତି ଆସିଛି।

ସେହିପରି ଗତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତଥ୍ୟକୁ ଦେଖିଲେ ମହିଳାଙ୍କ ବେକାରୀ ହାର ୧୩.୧ ପ୍ରତିଶତ ଥିବାବେଳେ ପୁରୁଷଙ୍କ ବେକାରୀ ହାର ୯.୫ ପ୍ରତିଶତ ରହିଥିଲା । ଏହା ପୂର୍ବର ଅକ୍ଟୋବର ଡିସେମ୍ବରରେ ମହିଳା ଏବଂ ପୁରୁଷଙ୍କ ବେକାରି ହାର ଯଥାକ୍ରମେ ୯.୮ ପ୍ରତିଶତ ଏବଂ ୭.୩ ପ୍ରତିଶତ ରହିଥିଲା। ରାଜ୍ୟ ଗୁଡ଼ିକ ମଧ୍ୟରେ ଗତବର୍ଷ ଅକ୍ଟୋବର -ଡିସେମ୍ବର ଅବଧିରେ ଜମ୍ମୁ କାଶ୍ମୀରର ସହରାଞ୍ଚଳରେ ବେକାରୀ ହାର ସର୍ବାଧିକ ୧୭.୮ ପ୍ରତିଶତ ଥିବାବେଳେ ଏହା ପଛକୁ କେରଳ ୧୬.୭ ପ୍ରତିଶତ, ଝାଡ଼ଖଣ୍ଡ ୧୬ ପ୍ରତିଶତ, ଓଡ଼ିଶା ୧୫ ପ୍ରତିଶତ ଏବଂ ଛତିଶଗଡ଼ ୧୪.୫ ପ୍ରତିଶତ ରହିଥିଲା। ୧୨ଟି ରାଜ୍ୟରେ ଉପରୋକ୍ତ ସମୟରେ ବେକାରୀ ହାର ୧୦ ପ୍ରତିଶତ ଉପରେ ରହିଥିଲା। ତେବେ ଗତବର୍ଷ ଏପ୍ରିଲ-ଜୁଲାଇରେ ୨୨ଟି ରାଜ୍ୟରେ ବେକାରୀ ହାର ୧୦ ପ୍ରତିଶତ ଉପରେ ଥିଲା।

Get real time updates directly on you device, subscribe now.