fbpx

ଡ୍ରଗ୍ସ ମାଫିଆଙ୍କ ଆଡ୍ଡା ପାଲଟିଲାଣି ଓଡ଼ିଶା, ନିଶା ବେପାର ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ

AAKASH

ଭୁବନେଶ୍ୱର: ଡ୍ରଗ୍ସ ମାଫିଆଙ୍କ ଆଡ୍ଡା ପାଲଟିଲାଣି ଓଡ଼ିଶା। ରାଜ୍ୟରେ ଗତ କିଛି ବର୍ଷ ହେଲା ନିଶା କାରବାର ଅହେତୁକ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶା ଦ୍ରବ୍ୟର ଚୋରା କାରବାର ମଧ୍ୟ ବହୁତ ମାତ୍ରାରେ ବୃଦ୍ଧି ପାଇଛି। ନିଶା କାରବାର ରୋକିବା ନା ରେ ପୋଲିସ କେବଳ ଚାଲାଣକାରୀଙ୍କୁ ଗିରଫ କରି ବସି ପଡୁଛି। କିଙ୍ଗପିନ ମାନଙ୍କ ପାଖରେ ପହଞ୍ଚିପାରୁନି। ଏଣେ ରାଜ୍ୟରେ ବହୁ ଯୁବପିଢ଼ି ନିଶା ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି।

ଗତକାଲି ବିଧାନସଭାରେ ରାଜ୍ୟ ସରକାର ଓଡ଼ିଶାରେ ନିଶାକାରବାର ନେଇ ତଥ୍ୟ ରଖିଛନ୍ତି। ରାଜ୍ୟ ସରକାର କହିଛନ୍ତି ୨୦୧୯ ବର୍ଷରେ ମୋଟ ୨କିଲୋ ୬୪୬ଗ୍ରାମ ୬୧୪ ମିଲିଗ୍ରାମ ବ୍ରାଉନ୍‌ସୁଗାର ପୋଲିସ ପକ୍ଷରୁ ଜବତ କରାଯାଇଥିଲା, ସେହିପରି ୨୦୨୦ରେ ୨୦୧୯ ବର୍ଷ ତୁଳନାରେ ପାଖାପାଖି ୩୩ କେଜି ଅଧିକ ଜବତ କରାଯାଇଛି। ଏହି ବର୍ଷ ମୋଟ ୩୫କେଜି ୬୧୫ ଗ୍ରାମ ୬୯୮ ମିଲିଗ୍ରାମ ବ୍ରାଉନସୁଗାର କରାଯାଇଥିଲା। ୨୦୨୧ରେ ଏହାର ପରିମାଣ ବୃଦ୍ଧି ପାଇ ମୋଟ ୫୫କେଜି ୪୪୮ ଗ୍ରାମ ୫୯୬ ମିଲିଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି , ଯାହାକି ୨୦୨୦ ତୁଳନାରେ ୨୦ କେଜିଅଧିକ।

ସେହିପରି ୨୦୨୨ ଏପ୍ରିଲ ମଧ୍ୟରେ ପୋଲିସ ୧୨କେଜି ୦୨୪ଗ୍ରାମ ୪୧୪ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଅର୍ଥାତ୍ ଗତ ୩ ବର୍ଷରେ ରାଜ୍ୟରେ – ବ୍ରାଉନ୍‌ସୁଗାର ଚୋରା କାରବାର ୨୪ଗୁଣରୁ ଅଧିକ ବଢିଯାଇଥିବା ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ରଙ୍କ ଉତ୍ତରରୁ ଜଣାପଡ଼ିଛି। ବିଧାୟକ ମୌଷଧ୍ ବାଗ୍ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପାତ୍ର କହିଛନ୍ତି , ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଅବକାରୀ ବିଭାଗ ଦ୍ବାରା ମୋଟ ୨୯୬୩.୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ୩୮୩୬, ୬୬ ଗ୍ରାମ ଏବଂ ୨୦୨୧-୨୨ ବର୍ଷ ମୋଟ ୧୧୬୬୨ , ୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ସେହିପରି ୨୦୨୨ ଜୁନ୍‌ ସୁଦ୍ଧା ୩୫୪୦ , ୧ ଗ୍ରାମ ବ୍ରାଉନସୁଗାର ଅବକାରୀ ଜବତ କରିଛି।

କଟକ, ପୁରୀ ଏବଂ ଭୁବନେଶ୍ବରରେ ଏହି ବେପାର ବହୁ ପରିମାଣରେ ବଢିଯାଇଥିଲା ବେଳେ ବ୍ରାଉନସୁଗାର ବେପାର ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କାରଣ ପ୍ରତ୍ୟେକ ବର୍ଷ ରାଜ୍ୟ ପୋଲିସ ଏବଂ ଅବକାରୀ ଅଧିକ ପରିମାଣର ବ୍ରାଉନ ସୁଗାର ଜବତ କରୁଥିବାର ତଥ୍ୟ ଦର୍ଶାଇଛନ୍ତି। ମନ୍ତ୍ରୀ ତାଙ୍କ ଉତ୍ତରରେ ବ୍ରାଉନ ସୁଗାର କାରବାର ରୋକିବା ନେଇ ସରକାର କରିଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି, ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଅବକାରୀ ଓ ପୋଲିସ ବିଭାଗ ଦ୍ଵାରା ଚଢ଼ାଉ କରାଯାଇ ଏନ୍‌ଡିପିଏସ୍ ଆଇନ ଖୁଲାପ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରି ମାମଲା ରୁଜୁ କରାଯାଇଛି। କଟକ , ବ୍ରହ୍ମପୁର ଏବଂ ସମ୍ବଲପୁର ତଥା ରାଜ୍ୟସ୍ତରୀୟ ଅବକାରୀ ଗୋଇନ୍ଦା ସଂସ୍ଥା ଚୋରା ବ୍ରାଉନସୁଗାର କାରବାର ଓ ବିକ୍ରୟ ଉପରେ ତଥ୍ୟ ସଂଗ୍ରହ କରି ଏହାକୁ ପ୍ରତିହତ କରୁଥିବା ଦିଗରେ ସରକାର କାର୍ଯ୍ୟ କରୁଥିବା ଦର୍ଶାଇଛନ୍ତି।

Get real time updates directly on you device, subscribe now.