ବଡ଼ ଲଘୁଚାପ, 3 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି…
ଏହା ଆସନ୍ତା ୨୪ ଘଣ୍ଟାରେ ଅଧିକା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ଓଡ଼ିଶା ଭାସ୍କର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ୩ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ଉଭା ହୋଇଛି। ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ।
ଏହା ଆସନ୍ତା ୨୪ ଘଣ୍ଟାରେ ଅଧିକା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୧୯ ତାରିଖ ସକାଳେ ଅବପାତଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବା । ପ୍ରଭାବରେ ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ପାଇଁ ୱାର୍ଣ୍ଣିଂ:
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ସହ ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତି ଏହି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ ସେମି) ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା (୭ରୁ ୧୧ ସେମି )ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ପବନ ବହିବ ।
ଆସନ୍ତାକାଲି ପାଇଁ ୱାର୍ଣ୍ଣିଂ:
ସେହିପରି ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ହେବା ସହ କୋରାପୁଟ ମାଲକାନଗିରି ଓ ନବରଙ୍ଗପୁର ଏହି ୩ଟି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ ସେମିରୁ ଉର୍ଦ୍ଧ୍ବ ) ନେଇ ରେଡ୍ ଆଲର୍ଟ ଜାରି କରିଛି ବିଭାଗ । ସେହିପରି ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଏହି ୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ପବନ ବହିବ ।ସେହିପରି ୧୯ ତାରିଖରେ ମଧ୍ୟ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା:
ସେପଟେ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ର ଉପକୂଳ ଅଞ୍ଚଳରେ ୪୦ରୁ ୬୦ କି.ମି ପବନ ବହିବାର ସମ୍ଭାବନା ରହିଛି । ତେଣୁ ମେଘୁଆ ପାଗ ଓ ପବନର ବେଗକୁ ନେଇ ୧୭ରୁ ୨୦ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।