fbpx

ରାଜ୍ୟ ପାଇଁ ଗର୍ବର ବିଷୟ: ମହାକାଶକୁ କୃତ୍ରିମ ଉପଗ୍ରହ ପଠାଇବ ଓଡ଼ିଶା, ସହଯୋଗ କରିବ ISRO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରିବା ସହିତ ଦେଶରେ ଅନ୍ୟତମ ରାଜ୍ୟ ଭାବେ ପରିଗଣିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ, ପରିବହନ କ୍ଷେତ୍ରର ବିକାଶ ପାଇଁ ସର୍ବଦା ପ୍ରୟାସ କରୁଛନ୍ତି । ବିଭିନ୍ନ ସମୟରେ କେବଳ ଭାରତରୁ ନୁହେଁ ଅନ୍ତର୍ଜାତୀୟ ସ୍ତରରୁ ଓଡ଼ିଶାକୁ ପ୍ରଶଂସା ମିଳୁଛି । ତେବେ ଏହା ମଧ୍ୟରେ ଓଡ଼ିଶା ସହିତ ପୁଣି ଏକ ସଫଳତାର ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି ।

ସୂଚନା ମୁତାବକ, ମହାକାଶ ଗବେଷଣା କ୍ଷେତ୍ରରେ ଓଡ଼ିଶା ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ଓଡ଼ିଶା ଓ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ମିଳିତ ପ୍ରୟାସରେ ମହାକାଶକୁ କୃତ୍ରିମ ଉପଗ୍ରହ ‘କ୍ୟୁବେସାଟ୍’ ପ୍ରେରଣ କରାଯିବ । ଏହି ଉପଗ୍ରହ ମାଧ୍ୟମରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସବୁଜ ବଳୟ ଉପରେ ନଜର ରଖାଯିବା ସହିତ ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳର ହେନ୍ତାଳ ବଣ ସୃଷ୍ଟି ଦିଗରେ ଏହା ସହାୟକ ହୋଇ ପାରିବ ବୋଲି କୁହାଯାଉଛି । ଏଥିସହିତ ଜଳବାୟୁ ପରିବର୍ତ୍ତନ, କୃଷି ଓ ପରିବେଶର ସୁରକ୍ଷା ଦିଗରେ ଏହି ସାଟେଲାଇଟ୍ କାର୍ଯ୍ୟ କରିବ । ଆଗାମୀ ଦିନରେ ମହାକାଶ ବିଜ୍ଞାନ ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହେବ ।

ରାଜ୍ୟର ବୈଜ୍ଞାନିକ, ଇଞ୍ଜିନିୟର ଓ ଗବେଷକମାନେ ଏହି ମିଶନରେ ସାମିଲ ହୋଇ କୃତ୍ରିମ ଉପଗ୍ରହ ପ୍ରସ୍ତୁତ କରିବେ । ଆସନ୍ତା ଡିସେମ୍ବର ମାସରେ ଏହି ଆର୍ଟିଫିସିଆଲ ସାଟେଲାଇଟକୁ ଇସ୍ରୋ ସହଯୋଗରେ ମହାକାଶକୁ ପଠାଯିବ । ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସ୍ଥିତ ସିଲିକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏସଆଇଟି) ଏବଂ କ୍ରିଷ୍ଟେଲର ଏରୋସ୍ପେଶ ପ୍ରାଇଭେଟ ଲିମିଟେଡ ମଧ୍ୟରେ ବୁଝାମଣା କରାଯାଇଛି । ସାଇବର ସୁରକ୍ଷା ଓ ମହାକାଶ ବିଜ୍ଞାନ ଏହି ଦୁଇ କ୍ଷେତ୍ରକୁ ନେଇ ଏସଆଇଟିରେ ଏକ ଅତ୍ୟାଧୁନିକ ଲାବ ପ୍ରସ୍ତୁତ କରାଯାଇ ରିସର୍ଚ୍ଚ ଆରମ୍ଭ କରାଯିବ । ଏହି ଅବସରରେ ଜୀବ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ଗ୍ରହ ବିଜ୍ଞାନ, ସୌରମଣ୍ଡଳ, ଅନ୍ତରୀକ୍ଷ ଉପରେ ଗବେଷଣା କରାଯିବ ବୋଲି ଜଣାପଡ଼ିଛି । ତେବେ ଓଡ଼ିଶା ମାଟିରେ ଏହି ସାଟେଲାଇଟ୍ ‘କ୍ୟୁବେସାଟ୍’ ପ୍ରସ୍ତୁତ କରାଯିବ, ଏହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ଏକ ଗର୍ବର ବିଷୟ ।

Get real time updates directly on you device, subscribe now.