fbpx

କମିଯିବ ତେଲଦର! ସରକାରଙ୍କ ଏହି ନିଷ୍ପତ୍ତି ପରେ ଶସ୍ତା ହେବାର ସମ୍ଭାବନା

ନୂଆଦିଲ୍ଲୀ, : ଗତ କିଛି ମାସ ହେବ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଉପଭୋକ୍ତାମାନେ ନାହିଁନଥିବା ଯନ୍ତ୍ରଣା ଭୋଗ କରୁଥିବାବେଳେ ସେମାନଙ୍କୁ ଏବେ ଆଶ୍ୱସ୍ତି ମିଳିବାର ସମ୍ଭାବନା ଦେଖାଦେଇଛି । ପେଟ୍ରୋଲ, ଡିଜେଲ ଦରରେ ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି । କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇଛି । ଏହାବାଦ୍ ଡିଜେଲ୍ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ କେନ୍ଦ୍ର ସରକାର ଶୁଳ୍କରେ ହ୍ରାସ କରିଥିବାରୁ ତୈଳଦର କମିବା ଆଶା କରାଯାଉଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଗତ କିଛି ଦିନ ହେବ ଉଭୟ ପେଟ୍ରୋଲ୍ ଓ ଡିଜେଲ ଦର ସ୍ଥିର ରହିଛି । ସରକାର ଟିକସ ହ୍ରାସ କରିଥିବାରୁ ଏହି ମୂଲ୍ୟ ହ୍ରାସ ହେବାର ସମ୍ଭାବନା ଦେଖାଦେଇଛି । ଏପରିକି ଆସନ୍ତା ଦୀପାବଳି ସୁଦ୍ଧା ଉଭୟ ତୈଳଦରରେ ୭ ଟଙ୍କା ଲେଖାଏଁ ହ୍ରାସ ଘଟିପାରେ । ଏବେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୯୦ ଡଲାର ରହିଛି । ଆଗାମୀ ଦିନରେ ଏହା ୮୭ ଡଲାରକୁ ଖସିବା ସମ୍ଭାବନା ରହିଛି ।

ଗତ ସୋମବାର ସନ୍ଧ୍ୟାରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ୨%ରୁ ଅଧିକ ହ୍ରାସ ପାଇଥିବା ଦେଖାଯାଇଥିଲା । ଗତ ୭ ମାସ ଭିତରେ ଅଶୋଧିତ ତୈଳର ମୂଲ୍ୟରେ ୩୯%ରୁ ଅଧିକ ହ୍ରାସ ଘଟିଛି । ଗତ ମାର୍ଚ୍ଚରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୪୭ ଡଲାର ରହିଥିଲା । ଏହା ଏବେ ୯୦ ଡଲାରକୁ ଖସିଆସିଛି । ଏହି ୭ ମାସରେ ଅଶୋଧିତ ତୈଳର ମୂଲ୍ୟରେ ୩୯.୩୬% ହ୍ରାସ ଘଟିଛି ।

ଅନ୍ତର୍ଜାତୀୟ ବଜାରରେ ତୈଳଦର କ୍ରମାଗତ ହ୍ରାସ ପାଉଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି । କେନ୍ଦ୍ର ସରକାର ଜାରି କରିଥିବା ସୂଚନାରୁ ପ୍ରକାଶ, କେନ୍ଦ୍ର ସରକାର ଡିଜେଲ ରପ୍ତାନୀ ଶୁଳ୍କ ୧୩.୫ରୁ ୧୦ ଟଙ୍କାକୁ ହ୍ରାସ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ତେଲ ଦର ବୃଦ୍ଧିକୁ ନେଇ ଖାଉଟିମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏଥିନେଇ କ୍ଷୋଭ ପ୍ରକାଶ କରୁଥିଲେ ।

Get real time updates directly on you device, subscribe now.