fbpx

ଓଲିଉଡରୁ ଆସିଲା ଦୁଃଖ ଖବର: ପୁଣି ଆରପାରିକୁ ଚାଲିଗଲେ ଆଉ ଜଣେ ଅଭିନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣଙ୍କ ପରେ ଜଣେ ଓଲିଉଡ ତାରକା ହଜିଯାଉଛନ୍ତି । ଲାଗୁଛି ସତେ ଯେମିତି ଓଡ଼ିଆ ଫିଲ୍ମ ଓ ଟେଲିଭିଜନ ଜଗତକୁ ଶନି ଦଶା ପଡ଼ିଛି । ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଅଭିନେତା ପିଣ୍ଟୁ ନନ୍ଦ ଗତ ୨ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତେବେ ଏହା ମଧ୍ୟରେ ପୁଣି ଓଲିଉଡରୁ ଆସିଛି ଏକ ଦୁଃଖ ଖବର । ପୁଣି ଆରପାରିକୁ ଚାଲିଯାଇଛନ୍ତି ଜଣେ ଓଡ଼ିଆ ଅଭିନେତା ।

ସୂଚନା ମୁତାବକ, ଓଡ଼ିଆ ଫିଲ୍ମ ଜଗତରେ ଲିଟୁ ଭାଇ ଭାବେ ପରିଚିତ ଅଭିନେତା ସୋମଦତ୍ତ ଦାସଙ୍କ ପରଲୋକ ଘଟିଛି । ହୃଦଘାତ କାରଣରୁ ସୋମଦତ୍ତଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଅଭିନେତା ଶ୍ରୀତମ ଦାସ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମାତ୍ର ୫୦ ବର୍ଷ ବୟସରେ ସୋମଦତ୍ତ ଆରପାରିକୁ ଚାଲିଯାଇଛନ୍ତି । ତାଙ୍କର ଅଚାନକ ମୃତ୍ୟୁରେ ସାରା ଓଲିଉଡ ହତବାକ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରର ସହିଦନଗର ସ୍ଥିତ ବାସଭବନରେ ଲିଟୁଙ୍କ ପରଲୋକ ଘଟିଥିବା ଜଣାପଡ଼ିଛି ।

ଲିଟୁ ଅନେକ ଫିଲ୍ମ ଓ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ପ୍ରଶଂସା ଲାଭ କରିଥିଲେ । ସେ ‘ଅଜବ ସଞ୍ଜୁର ଗଜବ ଲଭ’ ଭଳି କିଛି ସିନେମାରେ ଅଭିନୟ କରିଥିଲେ । ଏଥିସହିତ ‘ଦାମିନୀ’, ‘ଦୁହିତା’, ‘ଦାସୀ, ଭଳି ୧୫ରୁ ଅଧିକ ମେଗା ସିରିଏଲରେ ଅଭିନୟ କରିଥିଲେ । ସେ ଉଭୟ ପଜିଟିଭ୍ ଓ ନେଗେଟିଭ୍ ଭୂମିକାରେ ଅଭିନୟ କରିଥିଲେ । ସୋମଦତ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ଓଲିଉଡର ବହୁ ବରିଷ୍ଠ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ତଥା ପ୍ରଶଂସକମାନେ ତାଙ୍କର ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.