ରୂପେଲି ପରଦାରେ ଭରି ଦେଉଥିଲେ ପ୍ରେମ ରସ… କିମ୍ବଦନ୍ତୀ ନାୟକଙ୍କୁ ଝୁରିବ ସାରା ଓଡ଼ିଶା

ଅଭିନୟରେ ନିଜର ସର୍ବୋତ୍ତମ ଦେଇଥିଲେ ଉତ୍ତମ । ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ କରିଥିଲା କିମିଆ ।

ଓଡ଼ିଶା ଭାସ୍କର: ଧଳା ପ୍ୟାଣ୍ଟକୁ ଫୁଲ ସାର୍ଟ । ଆଖିରେ ରଙ୍ଗୀନ ଚଷମା ସାଙ୍ଗକୁ ମୁହଁରେ ସ୍ମିତ ହାସ୍ୟ ଦେଇ ସ୍କ୍ରିନ୍ ଉପରକୁ ଚାଲିଆସିଲେ, ସିନେମାଘର କମ୍ପିଉଠେ ସିଟି ଓ ତାଳିରେ । ତାଙ୍କ ଅଭିନୟର ଯାଦୁର ଦିୱାନା ଥିଲେ ୮୦-୯୦ ଦଶକର ଯୁବପିଢ଼ି । ଉତ୍ତମଙ୍କ ଅଣ୍ଟା ହଲେଇ ନାଚଠାରୁ ଆରମ୍ଭ କରି ଡାଇଲଗ୍ ସବୁଥିରେ ଭଳି ରହିଥିଲା ପ୍ରେମ ରସ ।

ହଠାତ୍ ମିଳିଲା ଅଫର୍: ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ବିୟୋଗରେ ସାରା ରାଜ୍ୟରେ ଏବେ ଶୋକାକୂଳ ପରିବେଶ । ତାଙ୍କ ଅଭିନୟ କ୍ୟାରିୟର ଯେତିକି ସଂଘର୍ଷମୟ ସେତିକି ରୋମାଞ୍ଚକର ମଧ୍ୟ । ଘରର ସାନପୁଅ ହୋଇଥିବା ହେତୁ ଉତ୍ତମଙ୍କ ଜୀବନ ବେଶ୍ ଆରାମରେ କଟିଥିଲା । ତାଙ୍କ ହିରୋ ଫିଗରରେ ଆକୃଷ୍ଠ ହୋଇ ହଠାତ୍ ଜଣେ ପ୍ରଯୋଜକ ତାଙ୍କୁ ସିନେମାରେ ଅଭିନୟର ଅଫର ଦେଲେ । ଯାହା ତାଙ୍କ ଜୀବନର ଦିଗ ବଦଳେଇଦେଇଥିଲା ।

ପଢ଼ାରେ ଆଗୁଆ: ୧୯୭୭ ମସିହା, ପ୍ରଥମ ସିନେମା ‘ଅଭିମାନ’ ।ଏହି ସିନେମା ତାଙ୍କ ଜୀବନର ଗତିପଥକୁ ବଦଳେଇଦେଇଥିଲା । ପିଲାବେଳ କଟିଥିଲା ବାରିପଦାରେ । ପାଠ ପଢ଼ାରେ ଆଗୁଆ ଥିଲେ ଉତ୍ତମ । ୧୦ମ ପାସ୍ କରିବା ପରେ ବିଜ୍ଞାନ ପାଠ ପଢ଼ିଲେ । ପାଠ ପଢ଼ା ସାଙ୍ଗକୁ ନାଚ, ଗୀତ, ଖେଳରେ ତାଙ୍କର ଅହେତୁକ ରୁଚିଥିଲା ।

କମର୍ସରେ ଗ୍ରାଜୁଏଶନ୍ ପାସ୍ କରି ଚାଟାର୍ଡ ଆକାଉଣ୍ଟାନ୍ସି ପାଇଁ ଲୁଧିଆନା ଗଲେ ଉତ୍ତମ । ବଡ଼ଭାଇ ଅରୁଣ କୁମାର ମହାନ୍ତି ସେ ସମୟରେ କୋଲକାତାରେ ରହୁଥିଲେ । ଯେଉଁକାରଣରୁ ସେ କୋଲକାତାରେ ଅଧିକାଂଶ ସମୟ ରହିଯାଉଥିଲେ ।

ହିଟ୍ ଯୋଡ଼ି: ଫିଲ୍ମଜଗତରେ ଅନେକ ନାୟିକାଙ୍କ ସହ କାମ କରିଛନ୍ତି ଉତ୍ତମ । କିନ୍ତୁ ଅପରାଜିତାଙ୍କ ସହ ତାଙ୍କ ଯୋଡ଼ି ଥିଲା ସୁପରହିଟ୍ । ଦୁହେଁ ୮୦ ଦଶକ ବେଳକୁ ସିନେଜଗତରେ ରାଜ୍ କରୁଥିଲେ । ଫିଲ୍ମରେ କାମ କରୁ କରୁ ଅପରାଜିତାଙ୍କୁ ମନ ଦେଇବସିଥିଲେ ଉତ୍ତମ । ଯାହାପରେ ରିଲ୍ ଯୋଡ଼ି ପାଲଟିଥିଲେ ରିୟଲ ଯୋଡ଼ିରେ ।

ରୋମାଣ୍ଟିକ୍ ହିରୋ: ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଫିଲ୍ମରେ ଅଭିନୟ କରିଛନ୍ତି ଉତ୍ତମ । ନିଜ ଜୀବନକାଳ ମଧ୍ୟରେ ୨୦୦ ଫିଲ୍ମରେ ତାଙ୍କ ଅଭିନୟ ଦେଖିଛନ୍ତି ଦର୍ଶକ । ୮୦ ଦଶକ ବେଳକୁ ଉତ୍ତମ ପାଲଟିଯାଇଥିଲେ ରୋମାଣ୍ଟିକ୍ ହିରୋ । ଅଭିଳାଷ, ରାମ ରହିମ, ଜାଇଫୁଲ, ଚକା ଭଉଁରୀ, ଜୋର ଯାର ମୂଲକ ତାର, ଶଙ୍ଖା ସିନ୍ଦୁର, ସହରୀ ବାଘ, ସୁନଦା ଚଢ଼େଇ, ତୁଣ୍ଡ ବାଇଦ, ଦାଦାଗିରି, ଉଦଣ୍ଡି ସୀତା ଭଳି ବହୁ ହିଟ୍ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

ସ୍ତ୍ରୀଙ୍କ ସହ ଅଧିକ ଫିଲ୍ମ: ଉତ୍ତମ ମହାନ୍ତି,; ଅପରାଜିତାଙ୍କ ସହ ସବୁଠାରୁ ଅଧିକ ୫୦ଟି ଫିଲ୍ମରେ ଅଭିୟନ କରିଥିବାବେଳେ ମହାଶ୍ୱେତାଙ୍କ ସହ ୩୦ଟି ଚଳିଚ୍ଚିତ୍ରରେ କାମ କରିଛନ୍ତି । ଏମାନଙ୍କ ବ୍ୟତୀତ ହିନ୍ଦୀ ସିନେ ଅଭିନେତ୍ରୀ ଅର୍ଚ୍ଚନା ଜୋଗଲେକର, ରଚନା ବାନାର୍ଜୀ, ତନ୍ଦ୍ରା ରାୟ, ବୈଶାଳୀ, ଦୀପା ଏବଂ ସୁଜାତା ଆନନ୍ଦଙ୍କ ସହ ମଧ୍ୟ ଉତ୍ତମଙ୍କ ଯୋଡ଼ିକୁ ଲୋକେ ଭଲପାଇବା ଦେଇଛନ୍ତି ।

ସିରିଏଲ୍: ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ସାରା ଆକାଶ’ରେ ଭିକୁ ଭାଇ ଚରିତ୍ରରେ ଉତ୍ତମଙ୍କ ଅଭିନୟ ଓଡ଼ିଶାବାସୀଙ୍କ ମନକୁ ଛୁଇଁଥିଲା । ଏହାଛଡ଼ା ପଣତ କାନି, ଉତ୍ତର ଦାୟୀରେ ମଧ୍ୟ ଉତ୍ତମଙ୍କ ଅଭିନୟ ଝଲକ ଦେଖିବାକୁ ମିଳିଥିଲା ।

ସର୍ବୋଚ୍ଚ ସମ୍ମାନ: ଉତ୍ତମ ମହାନ୍ତି ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ । ଓଡ଼ିଆ ସିନେଜଗତରୁ ସର୍ବୋଚ୍ଚ ସମ୍ମାନ ‘ଜୟାଦବ ପୁରସ୍କାର’ ୧୯୯୯ରେ ଉତ୍ତମଙ୍କୁ ପ୍ରଦାନ କରାଯାଇଥିଲା । ଦଣ୍ଡା ବାଳୁଙ୍ଗା, ଫୁଲ ଚନ୍ଦନ, ଝିଅଟି ସୀତା ପରି ଓ ସୁନା ଚଢ଼େଇ ପାଇଁ ଉତ୍ତମଙ୍କୁ ଶ୍ରେଷ୍ଠ ଅଭିନେତା ପାଇଁ ରାଜ୍ୟ ଚଳଚ୍ଚତ୍ର ସମ୍ମାନ ପ୍ରଦାନ କରାଯାଇଥିଲା ।

ମିହିର, ବିଜୟଙ୍କୁ ଝୁରୁଥିଲେ: ନିଜ ସମବୟସ୍କ ନାୟକ ଅଜିତ ଦାସ, ବିଜୟ ମହାନ୍ତି ଓ ମିହିର ଦାସଙ୍କ ପରଲୋକ ପରେ ଖୁବ୍ ଭାଙ୍ଗିପଡ଼ିଥିଲେ ଉତ୍ତମ । ଏହି ଅଭିନେତାମାନଙ୍କ ସହ ଉତ୍ତମ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ।