fbpx

ରାଜାଙ୍କ ଅନୁରୋଧ କ୍ରମେ ଭକ୍ତଙ୍କୁ ବାଟ ଦେଖାଇବାକୁ ପ୍ରତିଶ୍ରୁତି ଦେଇଥିଲେ ମା’

ପୁରୀ: ଅନାଦି କାଳରୁ ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ବିଦ୍ୟମାନ ଅଛନ୍ତି ମା’ ବାଟମଙ୍ଗଳା। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ବୀରହରେକୃଷ୍ଣପୁର ଅତିକ୍ରମ କରିବା ପରେ ପରେ ରାଜପଥର ବାମ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ ମା’ ବାଟମଙ୍ଗଳାଙ୍କ ମନ୍ଦିର। ବାଟ ଗାଁ ଓ କତିପୟ ଗ୍ରାମର ଗ୍ରାମ ଦେବତୀ ହେଉଛନ୍ତି ମାଆ। ଏଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ ଅଠର ନଳା।

ପୂରାଣ ବର୍ଣିତ ତଥ୍ୟ ଅନୁଯାୟୀ ମାଆ ପ୍ରଥମେ ବନଦେବୀ ରୂପରେ ଜଙ୍ଗଲ ଭିତରେ ପୂଜା ପାଉଥିଲେ। ଥରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସି ଶ୍ରୀକ୍ଷେତ୍ରକୁ ଯିବା ବାଟ ଭୁଲିଗଲେ। ଏହି ସମୟ ରେ ସର୍ବମଙ୍ଗଳ ଦାୟିନୀ ମାଆ ମଙ୍ଗଳା ଆବିର୍ଭୁତ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀକ୍ଷେତ୍ରର ମାର୍ଗ ଦର୍ଶନ କରାଇଥିଲେ। ରାଜାଙ୍କ ଅନୁରୋଧରେ ଦେବୀ ବାଟରେ ରହି ସମସ୍ତ ଭକ୍ତଙ୍କୁ ମାର୍ଗ ଦର୍ଶନ କରିବାକୁ ପ୍ରତିଶ୍ରୁତି ବି ଦେଇଥିଲେ। ସେହିଦିନ ଠାରୁ ସିଏ ବାଟ ରେ ରହିଥିବାରୁ ତାଙ୍କନାମ ବାଟ ମଙ୍ଗଳା ହୋଇଛି।

ମାଆ ବାଟମଙ୍ଗଳା ଚତୁର୍ଭୁଜା ପଦ୍ମାସନରେ ବିରାଜିତ। ମା’ ଙ୍କ ନିମ୍ନ ଦୁଇହସ୍ତ ଅଭୟ ମୁଦ୍ରାରେ ଥିବା ବେଳେ ଉର୍ଦ୍ଧ୍ବ ଦକ୍ଷିଣ ହସ୍ତରେ ଶଙ୍ଖ ଓ ବାମ ହସ୍ତରେ ତ୍ରିଶୁଳ ଧାରଣ କରିଛନ୍ତି। ମାଆ ପରମ ବୈଷ୍ଣବୀ ହୋଇଥିବାରୁ ଏଠାରେ ଆମିଷ ଭୋଗ ନିଷିଦ୍ଧ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବ କଳେବର ସମୟରେ ଜଗନ୍ନାଥଙ୍କ ପାଇଁ ଆସୁଥିବା କାଠ ବୋଝେଇ ଶଗଡ଼ ଗୁଡିକ ଏହି ବାଟ ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା ସରିବା ପରେ ଶ୍ରୀକ୍ଷେତ୍ରକୁ ପ୍ରବେଶ କରିଥାଏ।

Get real time updates directly on you device, subscribe now.