fbpx

ହାଇଦର ମୃତ୍ୟୁ ପରେ ବି ପୋଲିସ ରୁଜୁ କଲା ମାମଲା, ସାଧାରଣରେ ଅନେକ ପ୍ରଶ୍ନ

ବାଲେଶ୍ୱର(ଓଡ଼ିଶା ଭାସ୍କର): ସତ ହେଉ କି ମିଛ ଏନକାଉଣ୍ଟର, ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ଘଟିଛି । ଆଉ ମୃତ୍ୟୁର ୬ ଘଣ୍ଟା ପରେ ପୋଲିସ ହାଇଦର ନାଁରେ ଆଉ ଏକ ମାମଲା ରୁଜୁ କରିଛି । ଯେତେବେଳେ ହାଇଦରର ମରଶରୀର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଛେଦ ଗୃହରେ ଥିଲା, ସେତେବେଳେ ସିମୁଳିଆ ଥାନାରେ ତା ନାଁରେ ଆଉ ଏକ କେସ୍ ପୋଲିସ ରୁଜୁ କଲା । ଜୀବନ ଥିବାବେଳେ ତିରିଶରୁ ଅଧିକ ମାମଲା ହୋଇଥିଲା, ଆଉ ଡେଡ୍ ବଡି ପୋଷ୍ଟମର୍ଟମ ରୁମ୍ରେ ଥିବା ବେଳେ ଆଉ ଏକ କେସ ହୋଇଗଲା । ହାଇଦର ଏସ୍କର୍ଟ ଟିମର ସଦସ୍ୟଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇ ଫେରାର ହେବାକୁ ଉଦ୍ୟମ କରୁଥିଲା । ସେଥିପାଇଁ ତା ବିରୋଧରେ ସିମୁଳିଆ ଥାନାରେ କଟକ ୟୁପିଡି ଇନସ୍ପେକ୍ଟର ଅଫ୍ ପୋଲିସ ଗଙ୍ଗାଧର ସାସେନି ଏଫ୍ଆଇଆର୍ ସେହିଦିନ ରାତିରେ ଦେଇଥିଲେ । କେସ ନଂ ୧୬୮/ ୨୪-୭-୨୦୨୧ ଏବଂ ଦଫା ୩୯୨, ୩୦୭, ୩୫୩, ୨୯୪, ୫୦୬, ୨୨୪ ସହ ୨୭ ଆର୍ମସ ଆକ୍ଟ ବଳରେ ମାମଲା ରୁଜୁ କରାଗଲା । ଆଉ ସେହି ଏଫଆଇଆରରେ ହାଇଦରର ମୃତ୍ୟୁ ହୋଇଥିବା ମଧ୍ୟ ଉଲ୍ଲେଖ ରହିଛି । ଖାଲି ସେତିକି ନୁହେଁ, ହାଇଦରର ମୃତ୍ୟୁ ପରେ ବି ପୋଲିସ ମାମଲା ଉକ୍ତ ମାମଲାର ତଦନ୍ତ କରୁଛି ।

ସେଦିନ ଥିଲା ଶନିବାର, ଗତ ୨୪ତାରିଖ । ଗ୍ୟାଙ୍ଗଷ୍ଟର ହାଇଦରକୁ ଚୌଦାର ଜେଲରୁ ଏକ ମିନି ବସରେ ବାରିପଦା ଜେଲକୁ ନିଆଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥର ସିମୁଳିଆ ନିକଟରେ ହାଇଦର ପରିସ୍ରା କରିବା ପାଇଁ ଏସ୍କର୍ଟ ଟିମକୁ କହିଲା । ଗାଡ଼ି ଅଟକି ଥିଲା, ଆଉ ତା ହାତରୁ ହ୍ୟାଣ୍ଡକପ ଖୋଲି ଦିଆଗଲା । ଠିକ୍ ସେହି ସମୟରେ ହାଇଦର ପାଖରେ ଛିଡ଼ା ହୋଇଥିବା ହାବିଲଦାରଙ୍କ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇ ପୋଲିସ ଉପରକୁ ଗୁଳି ମାରିଦେବ ବୋଲି ଧମକ ଦେଇଥିଲା । ଏହି ସମୟରେ ଏସ୍କର୍ଟ ଟିମର ସବ-ଇନ୍ସପେକ୍ଟର ଶ୍ରୀ ଜେନା ହାରଦରକୁ ଆତ୍ମସମର୍ପଣ ପାଇଁ କହିଥିଲେ, ତେବେ ସେ ରାଜି ନହେବାରୁ ସବଇନସ୍ପେକ୍ଟର ଜେନା ନିଜ ସର୍ଭିସ ରିଭଲବଲରୁ ୫ ରାଉଣ୍ଡ ଗୁଳି ହାଇଦରର ଛାତି ଆଉ ପେଟକୁ ମାରିଥିଲେ । ଫଳରେ ହାଇଦର ସେହିଠାରେ ଟଳି ପଡିଥିଲେ । ଆଉ ତାକୁ ସଙ୍କଟ୍ଟାପନ୍ନ ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଣାଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବାର ଚାରି ମିନିଟ୍ ପରେ ହାଇଦରର ମୃତ୍ୟ ହୋଇଯାଇଥିଲା ।

ତେବେ ସାଧାରଣାରେ ପ୍ରଶ୍ନ ଉଠୁଛି:

  • ହାଇଦରର ହାତରୁ ହ୍ୟାଣ୍ଡ କପ୍ ଖୋଲିବା ବେଳେ ପୋଲିସ ସତର୍କତା ଅବଲମ୍ବନ କରିଥିଲା କି?
  • ହାଇଦର ଛଡ଼ାଇ ନେଇଥିବା ଏକେ-୪୭ ବନ୍ଧୁକରେ ଗୁଳି ଲୋଡ୍ ଥିଲା କି, ଯଦି ଗୁଳି ଥିଲା, ହାଇଦର ଉପରେ ଗୁଳିମାଡ଼ ପରେ ବି ସେ ଫାୟାରିଂ କରିପାରିଥାନ୍ତା!
  • ଯଦି ଏହା ସତ ଏନକାଉଣ୍ଟର, ସବୁତକ ଗୁଳି ଦାଇଦରର ଆଗପଟେ କେମିତି ହେଲା?
  • ହାଇଦର ଲୁଙ୍ଗି ପିନ୍ଧିଥିଲେ, ଆଉ ଆଖିରେ ଚଷମା ଥିଲା, ତା ଡାହାଣ ହାତ ପକ୍ଷାଘାତ । ସେ କେମିତି ଦୌଡ଼ି ଦୌଡ଼ି ପଳାଇ ପାରିଥାନ୍ତା?
  • ଏନକାଉଣ୍ଟର ହୋଇଥିବା ସ୍ଥାନରୁ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମାତ୍ର ୧୫ କିଲୋମିଟର ଦୂର, ତେବେ ଗୁରୁତର ହୋଇଥିବା ହାଇଦରକୁ ଭଦ୍ରକକୁ ନନେଇ କାହିଁକି ୪୫କିଲୋମିଟର ଦୂର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଲେ?
  • ହାଇଦର ଏନକାଉଣ୍ଟରକୁ ନେଇ ଏବେ ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଠୁଛି ।

Get real time updates directly on you device, subscribe now.