fbpx

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହେଲା ସତର୍କ ସୂଚନ

AAKASH

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ସୋମବାର ଆଡ଼କୁ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାରରେ ସୃଷ୍ଟି ହେବାର ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।

ବର୍ଷାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସଜାଗ ରହିବାପାଇଁ କୁହାଯାଇଛି ।ମାଲକାନଗିରି, କୋରାପୁଟ, କଳାହାଣ୍ଡି ଜିଲ୍ଲାକୁ ଆବଶ୍ୟକ ସତର୍କତା ପଦକ୍ଷେପ ନେବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି ନୂଆପଡ଼ା, ବଲାଙ୍ଗିର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁରର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‍ରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ହୋଇଥିବାବେଳେ ମାଲକାନଗିରି ବ୍ଲକ୍‍ରେ ୧୮୩ ଦଶମିତ ୨ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।
ଜୁନ୍‍ ପହିଲାରୁ ଗତକାଲି ସୁଦ୍ଧା ରାଜ୍ୟରେ ୩୫୫ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହୀରାକୁଦ ଡ୍ୟାମ୍‍ରୁ ଆସନ୍ତା ରବିବାର ଦିନ ସକାଳ ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଜଳସ୍ତରକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀ ଓ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହି ବାବଦରେ ଜନସାଧାରଣ ସତର୍କ ରହିବା ଲାଗି ମହାନଦୀ ଦେଇ ଯାଇଥିବା ଜିଲ୍ଲାଗୁଡ଼ିକୁ ଡ୍ୟାମ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି ।

ଆସନ୍ତାକାଲି ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‍ ଦେଇ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯିବ । ଏହାପରେ ନଦୀବନ୍ଧର ଉପର ଓ ତଳ ମୁଣ୍ଡରେ ବର୍ଷାର ପରିମାଣକୁ ତର୍ଜମା କରାଯାଇ ଆଉ କେତେକ ଗେଟ୍‍ ଖୋଲାଯିବ । ସୂଚନାଯୋଗ୍ୟ, ୧୯୮୦ ମସିହାରେ ହୀରାକୁଦ ଡ୍ୟାମ୍‍ରୁ ସର୍ବାଧିକ ୮୫ଟି ଗେଟ୍‍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ଥିଲା ବୋଲି ନଦୀବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.