fbpx
BJD SKY
BJD SKY

ଶିକ୍ଷକ ନିଯୁକ୍ତି ନିୟମ ବଦଳିଲା: ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପକ ନିଯୁକ୍ତି କରିବ OPSC

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଇଞ୍ଜିନିୟରିଂ କଲେଜରେ ଆଉ ପୂର୍ବ ଭଳି ଶିକ୍ଷକ ନିଯୁକ୍ତି ହେବ ନାହିଁ । ଏଣିକି ସରକାରୀ ଇଞ୍ଜିନିୟରିଂ କଲେଜରେ ଶିକ୍ଷକ ନିଯୁକ୍ତି କରିବ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅଧିନରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଶିକ୍ଷକ ପଦବୀ ଚୟନରେ ବ୍ୟାପକ ସଂସ୍କାର ଅଣାଯାଇଛି ।

ଏବେ ଉଚ୍ଚଶିକ୍ଷା ବିଭାଗ ଭଳି ବୈଷୟିକ ଶିକ୍ଷା ବିଭାଗର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଯୋଗ୍ୟ ଓ ଦକ୍ଷତାସମ୍ପନ୍ନ ଶିକ୍ଷକ ନିଯୁକ୍ତି ପାଇବେ । କର୍ତ୍ତୃପକ୍ଷ ପୂର୍ବ ଭଳି ଶିକ୍ଷକଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ । ସରକାରୀ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ପଦବୀଗୁଡ଼ିକର ନିଯୁକ୍ତି ପରିଚାଳନା କରିବ ଓପିଏସସି ।

ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀ ପାଇଁ ଉଭୟ ପରୀକ୍ଷା ଓ ସାକ୍ଷାତକାର ପରିଚାଳନା କରିବ ଓପିଏସସି । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ କଲେଜଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା କରାଯିବ । ଏହି ଶିକ୍ଷକ ଚୟନ କମିଟିରେ ରାଜ୍ୟ ଓ ରାଜ୍ୟ ବାହାରର ବିଶେଷଜ୍ଞ ରହିବେ । ଉଭୟ ପରୀକ୍ଷା ଓ ଇଣ୍ଟରଭ୍ୟୁ ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ । ଆଗକୁ ଠିକା ଅଧ୍ୟାପକ ବଦଳରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ଏ ବାବଦରେ ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ କଲେଜକୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.