fbpx

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା; ଅତି ପ୍ରବଳ ବର୍ଷା ହେବା ନେଇ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତରପୂର୍ବ ତତ୍‍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳର ସମୁଦ୍ର ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଂଚଳରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, ବଲାଙ୍ଗୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ପୁରୀ, ନୟାଗଡ଼ ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ୍‍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ଗଞ୍ଜାମ, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର ଏବଂ ଝାରସୁଗୁଡ଼ା ଆଦି ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜୁନ୍‍ ପହିଲାରୁ ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ୬୮୧ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.