fbpx

ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଚେନ୍ନାଇ ଉପକୂଳରୁ ଡଙ୍ଗାରେ ଶ୍ରମିକମାନେ ଲୁଚି ଲୁଚି ଗଞ୍ଜାମ ଫେରିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ତଟବର୍ତ୍ତୀ ଅଞ୍ଚଳ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ ଭାବେ ଡଙ୍ଗାରେ ଫେରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଉପକୂଳ ଅଞ୍ଚଳର ସମସ୍ତ ନୌକାଚାଳକଙ୍କୁ କଡା ଚେତାବନୀ ଦିଆଯାଇଛି । ଏହାରି ମଧ୍ୟରେ ଡଙ୍ଗାରେ ଫେରିଥିବା ଶ୍ରମିକଙ୍କୁ ଗଞ୍ଜାମ ସ୍ଥିତ କ୍ୱାରେଣ୍ଟାଇନରେ ରଖାଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଶ୍ରମିକମାନେ ଡଙ୍ଗାରେ ଫେରିଲେ ବୋଲି ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସମୁଦ୍ରପଥରେ ୩୮ ଜଣ ଶ୍ରମିକ ଡଙ୍ଗାରେ ଓଡିଶାକୁ ଫେରିଛନ୍ତିି । ଡଙ୍ଗାଟି ଆନ୍ଧ୍ରପଦେଶର ଶ୍ରୀକାକୁଳମ ଉପକୂଳ ଦେଇ ସନ୍ଧ୍ୟାରେ ଗଞ୍ଜାମର ପାତିସୁନାପୁରରେ ପହଞ୍ଚିଥିଲା । ତେବେ ଡଙ୍ଗାଟିରେ ଏପ୍ରିଲ ୨୦ରେ ଚେନ୍ନାଇ ଉପକୂଳରୁ ଲୋକମାନେ ଯାତ୍ରା ଆରମ୍ଭ କରିଥିଲେ । ଡଙ୍ଗାରେ ପାତିସୁନାପୁର ଗାଁର ୨୮ ଜଣ, ରାମେୟା ପାଟଣାର ୪ ଜଣ ଓ ଆନ୍ଧ୍ରପ୍ରଦେଶର ୬ ଜଣ ଲୋକ ଥିବା ସୂଚନା ମିଳିଥିଲା ।

Get real time updates directly on you device, subscribe now.