fbpx

ବରଫର ମଜା ନେଉଥିଲେ ପର୍ଯ୍ୟଟକ, ହଠାତ୍ ବେକାବୁ ହୋଇ ମାଡ଼ିଆସିଲା ହେଲିକପ୍ଟର, ଦେଖନ୍ତୁ ଭିଡିଓ…

ଚଳିତ ଥର ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଚର୍ଚ୍ଚାରେ ରହିଆସିଛି । ଚାରିଧାମ ଯାତ୍ରାରେ ପ୍ରାୟ ୧୦୦ ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏବେ ଏହାରି ମଧ୍ୟରେ କେଦାରନାଥର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ନିୟନ୍ତ୍ରଣ ହରାଇ ଏକ ହେଲିକପ୍ଟର ବିପଜ୍ଜନକ ଭାବରେ ଲ୍ୟାଣ୍ଡିଂ କରୁଛି, ତାହା ବି ପୁଣି ଜନଗହଳି ପୂର୍ଣ୍ଣ ସ୍ଥାନ ନିକଟରେ । ଆଉ ଏହି ଲ୍ୟାଣ୍ଡିଂ ଯୋଗୁଁ ଅନେକ ଯାତ୍ରୀ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବାର ମଧ୍ୟ ଦେଖାଯାଉଛି ।

କେଦାରନାଥର ଏହି ଭିଡିଓ ୩୧ ମେ ବୋଲି କୁହାଯାଉଛି । ପ୍ରକୃତରେ ଏକ ଯାତ୍ରୀ ହେଲିକପ୍ଟର ହେଲିପ୍ୟାଡରେ ଲ୍ୟାଣ୍ଡ କରିବାର ଥିଲା, କିନ୍ତୁ କିଛି କାରଣ ଯୋଗୁଁ ହେଲିକପ୍ଟର ବେକାବୁ ହୋଇଯାଇଥିଲା ଏବଂ ସିଧା ତଳେ ଯାଇ ମାଡ଼ ହୋଇଥିଲା । ଭିଡିଓରେ ଦେଖାଯାଉଛି ଯେ ହେଲିକପ୍ଟର ଦ୍ରୁତ ଭାବରେ ଭୂମି ଆଡ଼କୁ ମାଡି଼ଆସୁଛି । ଏହି ସମୟରେ ଅନେକ ଲୋକ ମଧ୍ୟ ସେହି ସେଠାରେ ଉପସ୍ଥିତ ରହିଥିଲେ । ଯେମିତି ହେଲିକପ୍ଟର ଭୂମିରେ ମାଡ଼ ହେଉଛି, ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଉଛି ଏବଂ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗୁଛନ୍ତି । ତେବେ ଭିଡିଓ ଭାଇରାଲ ହେବାପରେ ଡିଜିସିଏ ପରିଚାଳନା ପାଇଁ  କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

ଅବଶ୍ୟ ଏହି ଘଟଣାରେ କେହି ଆହତ ହୋଇନାହଁନ୍ତି । ହେଲିକପ୍ଟର ହାର୍ଡ ଲ୍ୟାଣ୍ଡିଂ ହୋଇଛି ସତ କିନ୍ତୁ ତାହା ଯାତ୍ରୀଙ୍କ ଠାରୁ କିଛି ଦୂରରେ । ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଲୋକେ । ରବିବାର ମଧ୍ୟ ଯମୁନେତ୍ରୀ ହାଇୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.