fbpx

ପ୍ୟାକେଟ ଅଟାରେ ନାହିଁ ଝିନଝଟ, ହେଲେ ବହୁ ସ୍ୱାସ୍ଥ୍ୟ ସମସ୍ୟାର କାରଣ: ବିଶେଷଜ୍ଞ

ଓଡିଶା ଭାସ୍କର: କିଏ ଗହମ କିଣିବ, ତାକୁ ଧୋଇ, ଶୁଖେଇ ବାଛି ପେସେଇବ । ତାଠୁ ଭଲ ମାର୍କେଟରୁ ଅଟା ପ୍ୟାକେଟ କିଣିଆଣ । ବର୍ତ୍ତମାନ ସହରଠୁ ଗାଁ, ସବୁଠି ପ୍ୟାକେଟ ଅଟାର ଚଳିଣି ବଢିଯାଇଛି । କମ ପରିଶ୍ରମରେ କାମ ହେଇଯାଉଛି ବୋଲି ଲୋକେ ଭାବୁଛନ୍ତି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ୟାକେଟ ଅଟାକୁ ଦେଲେଣି ବଡ ଚେତାବନୀ । ପ୍ୟାକେଟରେ ବିକ୍ରି ହେଉଥିବା ଅଟା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ହୋଇପାରେ ହାନିକାରକ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ୟାକେଟ ଅଟା ଆଖିକୁ ଦେଖିବାକୁ ଭଲ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖରାପ । ଏଥିରେ କୌଣସି ପ୍ରକାରର ପୋଷକ ତତ୍ତ୍ୱ ନଥାଏ । ଅଧିକ ସୁନ୍ଦର କରିବାକୁ ଗହମକୁ ଅଧିକରୁ ଅଧିକ ପେସି ଚିକ୍କଣ କରାଯାଏ । ଫଳରେ ଏଥିରେ ଥିବା ଫାଇବର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ଯେଉଁ କାରଣରୁ ଏହି ରୁଟି ହଜମ ହେବାକୁ ସମୟ ନେଇଥାଏ । ଅନେକ ତ ପ୍ୟାକେଟ ଅଟାର ରୁଟିକୁ ହଜମ ମଧ୍ୟ କରିପାରନ୍ତି ନାହିଁ ।

ଏଥିସହ ଅଟାକୁ ଧଳା କରିବାକୁ ଗହମରେ ଅରୁଆ ଚାଉଳ ମିଶାଇ ପେସାଯାଏ । ଏଥିସହ ଏହାକୁ ଅଧିକ ଦିନ ସତେଜ ରଖିବାକୁ ଏଥିରେ ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର କରାଯାଏ । ଏହି ଅଟା ଲଗାତର ଖାଇବା ଫଳରେ ଶରୀରରେ ମେଦବହୁଳତା, ମଧୁମେହ, ହଜମ ସମସ୍ୟା ପରି ନାନା ସମସ୍ୟା ଦେଖାଦିଏ ।

ତେବେ କେଉଁ ଅଟା ଖାଇବା ଭଲ ସେ ସମ୍ପର୍କରେ ମଧ୍ୟ ଜାଣିବା ଦରକାର । ଅଟାକଳରେ ପେସା ଯାଉଥିବା ବିନା ପ୍ୟାକିଂର ଅଟାକୁ ଖାଇଲେ, କୌଣସି ଅସୁବିଧା ହେବନି । ଏଥିସହ, ଅଟା ପେସେଇବା ପରେ ସେଥିରେ ଥିବା ଗହମ କଣିକାକୁ ଅନେକ ବାହାର କରୁଥିବା ବେଳେ ଏହି ଉପାଦାନ ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ ।

Get real time updates directly on you device, subscribe now.