fbpx

ପଦ୍ମଶ୍ରୀ ମାଗୁଣୀ କୁଅଁର ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଦ୍ୱାରା ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ ହୋଇଥିବା କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟ ଶିଳ୍ପୀ ମାଗୁଣି ଚରଣ ଅଁର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ୧୯୩୭ ମସିହା ଫେବୃଆରୀ ମାସ ୧୨ ତାରିଖରେ କେନ୍ଦୁଝର ପୁରୁଣା ସହର ବୈଦରାଜ ସାହିରେ ଜନ୍ମଗ୍ରହଣ କରିଥିବା ମାଗୁଣି ଏକାଧାରାରେ କଣ୍ଢେଇ ନୃତ୍ୟ ଶିଳ୍ପୀ ଓ ଚିତ୍ରଭାବେ ବେଶ୍ ପରିଚିତ ଅଟନ୍ତି ।

ମାତ୍ର ୧୫ ବର୍ଷ ବୟସରୁ ମାଗୁଣି ଗୁରୁ ମକରଧ୍ୱଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା କରିଥିଲେ । ତା’ପରେ ସେ ଆଗକୁ ବଢ଼ିବା ସହିତ କେବେ ବି ପଛକୁ ଫେରି ଚାହିଁ ନଥିଲେ । ସେ ରାବଣ ବଧ, ମନ୍ଦୋଦରୀ ବିବାହ, ଚାର୍ଲସ ଶୋଭରାଜ, ସହିଦ ଲକ୍ଷ୍ମଣ ନାୟକ, ଶ୍ରୀ ଗଣେଶ, ବୀର ସୁରେନ୍ଦ୍ର ସାଏ ଏପରି ୪୫ଟି ବିଷୟବସ୍ତୁକୁ ନେଇ କଣ୍ଢେଇ ନୃତ୍ୟ ପରିବେଷଣ କରୁଛନ୍ତି । ଏହି ନୃତ୍ୟକୁ ବଞ୍ଚାଇ ରଖିବା ପାଇଁ ମାଗୁଣିଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ଏଥିପାଇଁ ତାଙ୍କୁ ପତ୍ନୀଙ୍କର ଗହଣା, ଘରର ବାସନକୁସନ ଓ ନିଜର ମୋଟରସାଇକେଲ ମଧ୍ୟ ସେ ବିକ୍ରି କରିବାକୁ ପଡ଼ିଥିଲା । ୨୦୦୪ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୧୪ରେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ସହିତ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି ।

Get real time updates directly on you device, subscribe now.