fbpx

T-20 WC ପୂର୍ବରୁ ବିପଦରେ ପାକିସ୍ତାନ! ଦଳକୁ ମିଳୁନି କୋଚ୍, ମୁହଁ ଫେରାଇ ନେଲେ ୱାଟସନ୍-ସାମୀ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪କୁ ଆଉ ମାତ୍ର ୩ ମାସ ବାକି ରହିଛି । ଏଥିପାଇଁ ପ୍ରତ୍ୟେକ ଦଳ ନିଜ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି । କିନ୍ତୁ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମ ଏବେ ବିପଦରେ ଫସି ରହିଛି । ବର୍ତ୍ତମାନ ସୁଦ୍ଧା ଦଳ ପାଇଁ କୋଚ୍ ସନ୍ଧାନରେ ରହିଛି କ୍ରିକେଟ ବୋର୍ଡ । ଦିନିକିଆ ବିଶ୍ୱକପ ପରେ ଦଳ କୋଚଙ୍କ ବିନା ସିରିଜ ଖେଳୁଛି । କିନ୍ତୁ ଏବେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ୍ ୱାଟସନ ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ୍ ସାମୀ କୋଚ୍ ପଦବୀ ପାଇଁ ମନା କରିଦେଇଛନ୍ତି । ଯାହା ଫଳରେ ପାକିସ୍ତାନର କୋଚ୍ ସନ୍ଧାନ ଏବେ ବି ଜାରି ରହିଛି ।

ସୂଚନା ଅନୁସାରେ, ପାକିସ୍ତାନ କ୍ରିକେଟ ବୋର୍ଡ ତରଫରୁ କୋଚ୍ ପଦବୀ ପାଇଁ ମିଳିଥିବା ପ୍ରସ୍ତାବକୁ ଖାରଜ କରି ସ୍ୱଦେଶ ଫେରିଛନ୍ତି ସେନ୍ ୱାଟସନ୍ । ସେପଟେ ଡାରେନ୍ ସାମୀ ମଧ୍ୟ କୋଚ୍ ପଦବୀ ଛାଡ଼ିବା ପରେ ଏହାର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ସାମୀ ପୂର୍ବରୁ ହିଁ ୱେଷ୍ଟଇଣ୍ଡିଜ ବୋର୍ଡ ସହ ଦେଶର ଟେଷ୍ଟ ଟିମ୍ ପାଇଁ ମୁଖ୍ୟ କୋଚ୍ ଭାବରେ କାର୍ଯ୍ୟରତ ରହିଛନ୍ତି । ସେହିପରି ପାକିସ୍ତାନ ସୁପର ଲିଗ୍ ସମୟରେ ପିସିବିର ବରିଷ୍ଠ ଅଧିକାରୀ ୱାଟସନଙ୍କ ସହ ମଧ୍ୟ କୋଚ୍ ପଦବୀ ବିଷୟରେ ଆଲୋଚନା କରିଥିଲେ । ତେବେ ୱାଟସନ୍ ଏଥିପାଇଁ ଆର୍ଥିକ ସର୍ତ୍ତ ସହିତ ଅନ୍ୟ କିଛି ସର୍ତ୍ତ ମଧ୍ୟ ରଖିଥିଲେ । ପାକିସ୍ତାନ ୱାଟସନଙ୍କ ଆର୍ଥିକ ସର୍ତ୍ତକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରି ପାରି ନଥିଲା । ଯାହାକୁ ନେଇ ଅସନ୍ତୋଷ ରହିଥିଲେ ସେନ୍ ୱାଟସନ୍ ।

ୱାଟସନ ପିସିବିର ଏହି ପ୍ରସ୍ତାବକୁ ରିଜେକ୍ଟ କରି କହିଛନ୍ତି ଯେ, ଆଇପିଏଲ୍ ଏବଂ ପ୍ରମୁଖ ଆମେରିକା ଲିଗରେ ଜଣେ ସମୀକ୍ଷକ ଭାବରେ ତାଙ୍କର ପୂର୍ବ ପ୍ରତିଶ୍ରୁତି ରହିଛି। ଏହା ବ୍ୟତୀତ ସେ ସିଡନୀରେ ଥିବା ତାଙ୍କ ଯୁବ ପରିବାରକୁ ଅଧିକ ସମୟ ଦେବାକୁ ଚାହୁଁଥିବା କହି କୋଚ୍ ପଦବୀକୁ ପ୍ରତ୍ୟାହାର କରିଛନ୍ତି । ୱାଟସନଙ୍କ ପାଇଁ ବାର୍ଷିକ ୨ ମିଲିୟନ ଡଲାର ଶୁଳ୍କରେ ପିସିବି ରାଜି ହୋଇଥିବା ଜଣାଯାଇଛି। କିନ୍ତୁ ୱାଟସନ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରି ନାହାନ୍ତି । ତେବେ ‘ଶିବିର ଏବଂ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ଭାବରେ ସ୍ଥାନୀୟ କୋଚ ମାନଙ୍କର ଏକ ଟିମ୍ ବର୍ତ୍ତମାନ ପାକିସ୍ତାନ ବୋର୍ଡ ପାଇଁ ଏକମାତ୍ର ବିକଳ୍ପ ବାକି ରହିଛି ।

Get real time updates directly on you device, subscribe now.