fbpx

ଦିନିକିଆ ବିଶ୍ୱକପ ଖେଳିବନି ପାକିସ୍ତାନ! ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏଥିରେ ପାକିସ୍ତାନର ଯୋଗ ଦେବାକୁ ନେଇ ଏବେ ପର୍ଯ୍ୟନ୍ତ ଆଲୋଚନା ଲାଗି ରହିଛି । ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଥିବା ବେଳେ ପାକିସ୍ତାନ ଭାରତକୁ ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ତେଣୁ ଏ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ବିଦେଶ ମନ୍ତ୍ରୀ ବିଲାବଲ ଭୁଟୋଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମିତି ଗଠନ କରିଛନ୍ତି ।

ଭାରତ-ପାକିସ୍ତାନ ସମ୍ପର୍କର ସମସ୍ତ ଦିଗ, କ୍ରୀଡା ଏବଂ ରାଜନୀତିକୁ ଅଲଗା ରଖିବା ପାଇଁ ସରକାରଙ୍କ ନୀତି ଏବଂ ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଗଣମାଧ୍ୟମ ପାଇଁ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଏହି କମିଟି ଗଢାଯାଇଛି । ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ମଧ୍ୟ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଆବାହକ ଅଟନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ଏବଂ ଭାରତୀୟ କ୍ରିକେଟ ବୋର୍ଡ ପୂର୍ବରୁ ବିଶ୍ୱକପ କାର୍ଯ୍ୟକ୍ରମ ଘୋଷଣା କରି ସାରିଛନ୍ତି । ତେଣୁ ପାକିସ୍ତାନ ଏହି କ୍ରିକେଟ ମହାକୁମ୍ଭ ଦିନିକିଆ ବିଶ୍ୱକପରେ ସାମିଲ ହେବ ବୋଲି ଆଶା କରାଯାଉଛି । ତେବେ ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତା ଏଥିରେ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଭାରତ ଆସି ବିଶ୍ୱକପରେ ସାମିଲ ହେବା ବର୍ତ୍ତମାନ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ।

ଏହି କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କ୍ରୀଡାମନ୍ତ୍ରୀ ଅହସାନ ମଜାରୀ, ମରିୟମ ଔରଙ୍ଗଜେବ, ଅସଦ ମହମୁଦ, ଅମୀନ ଉଲ ହକ୍, କମର ଜମାନ କେରା ଏବଂ ପୂର୍ବ ରାଜନ୍ୟାୟିକ ତାରିକ ଫାତମୀ ମଧ୍ୟ ସାମିଲ ରହିଛନ୍ତି । ବିଶ୍ୱକପ ପୂର୍ବରୁ ଏକ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତିନିଧି ମଣ୍ଡଳ ଭାରତ ଆସି ମ୍ୟାଚ ଖେଳାଯିବାକୁ ଥିବା ସ୍ଥାନଗୁଡିକର ନିରୀକ୍ଷଣ କରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.