ଅହମ୍ମଦାବାଦ ବିମାନ ଦୁର୍ଘଟଣା: କ’ଣ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…?
ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ହୋଇଥିବା ବଡ଼ ଧରଣର ବିମାନ ଦୁର୍ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ । ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଏହି ଦୁର୍ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ହୋଇଥିବା ବଡ଼ ଧରଣର ବିମାନ ଦୁର୍ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ । 242 ଜଣଙ୍କୁ ନେଇ ଲଣ୍ଡନ ଯାଉଥିବା ବେଳେ କ୍ରାସ୍ ହୋଇଗଲା ଏୟାର ଇଣ୍ଡିଆ ବିମାନ । ଯାତ୍ରୀଙ୍କ ବ୍ୟତୀତ ବିମାନରେ ଥିଲେ 12 ଜଣ କ୍ରୁ ସଦସ୍ୟ ଏବଂ ଦୁଇ ପାଇଲଟ୍ । ଉଡ଼ାଣ ଭରିବାର ମାତ୍ର 5 ମିନିଟ୍ ପରେ ଏକ ମେଡିକାଲ୍ କଲେଜ୍ର ହଷ୍ଟେଲ୍ ବିଲ୍ଡିଂରେ ପିଟି ହୋଇ ଜଳିଯାଇଥିଲା ବିମାନ ।
ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର 5 ମିନିଟ ପରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ AI171 ଦୁର୍ଘଟଣାର ଖବର ସମଗ୍ର ବିଶ୍ୱରେ ଶୋକର ଛାୟା ଖେଳାଇଦେଇଛି। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଏହି ଦୁର୍ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ କହିଛନ୍ତି, “ଆଜି ଅହମ୍ମଦାବାଦ ନିକଟରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ। ଏହି ବିଶାଳ କ୍ଷତିରେ ପୀଡିତ ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ। ଏହି ହୃଦୟ ବିଦାରକ ଦୁର୍ଘଟଣାରେ ପ୍ରଭାବିତ ସମସ୍ତଙ୍କ ସହିତ ଆମର ସମବେଦନା ଏବଂ ପ୍ରାର୍ଥନା।”
ଶେହବାଜ୍ ସରିଫଙ୍କ ସହିତ, ତାଙ୍କ ବଡ଼ ଭାଇ ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଅହମ୍ମଦାବାଦରେ ହୋଇଥିବା ଏଭଳି ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା”। ଏହାସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ଜନସାଧାରଣଙ୍କ ପ୍ରତି ମୋର ଗଭୀର ସମବେଦନା ବୋଲି କହିଛନ୍ତି ଶେହବାଜ୍ ସରିଫଙ୍କ ଭାଇ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ।
ଏହି ବିମାନରେ ଥିଲେ 50ରୁ ଅଧିକ ଫରେନ୍ ନାଗରିକ । ସେହିଭଳି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରି ବିଜୟ ରୂପାନୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଖବରକୁ ନେଇ ସମଗ୍ର ବିଶ୍ୱରେ ଶୋକର ଛାୟା ଖେଳିଯାଇଛି।