fbpx

IND vs PAK; ଭାରତ ଆଗରେ ଆଣ୍ଠେଇଲା ପାକିସ୍ତାନ ଟିମ୍: ହିରୋ ସାଜିଲେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ: ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଭାରତର ବିଜୟ ଧାରା ଜାରି ରହିଛି । ଆଜି ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ହକି ଟିମକୁ ୨-୧ ଗୋଲରେ ଚକମା ଦେଇଛି ଟିମ ଇଣ୍ଡିଆ । ଅଧିନାୟକ ହରମନପ୍ରୀତ କୌରଙ୍କ ଦମଦାର ପ୍ରଦର୍ଶନ ବଳରେ ପାକିସ୍ତାନ ଉପରେ ଏହି ବିଜୟ ହାସଲ କରିଛି ଇଣ୍ଡିଆନ୍ ହକି ଟିମ୍ । ମ୍ୟାଚର ୧୩ ଏବଂ ୧୯ ମିନିଟରେ ଦୁଇଟି ଦମଦାର ଗୋଲ କରି ଭାରତ ପାଇଁ ବିଜୟର ହିରୋ ପାଲଟିଛନ୍ତି ଅଧିନାୟକ ହରମନପ୍ରୀତ । ତେବେ ଭାରତ ବିପକ୍ଷରେ ଅହମଦ ନଦୀମ ଏକମାତ୍ର ଗୋଲ କରିବାରେ ସଫଳ ହୋଇଛନ୍ତି ।

ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମହାମୁକାବିଲା ଖେଳାଯାଇଛି । ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଛି । ମ୍ୟାଚର ସପ୍ତମ ମିନିଟରେ ପାକିସ୍ତାନର ଅହମଦ ନଦୀମ ଗୋଲ ହାସଲ କରି ମ୍ୟାଚରେ ଆଗୁଆ ହୋଇଥିଲେ । ଏହାପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ହରମନପ୍ରୀତ ସିଂହ। ମ୍ୟାଚର ୧୩ତମ ମିନିଟରେ ପ୍ରଥମ ଗୋଲ୍ ହାସଲ କରିଛନ୍ତି ଭାରତର ଅଧିନାୟକ । ପ୍ରଥମ କ୍ୱାର୍ଟରରେ ଗୋଟିଏ ଗୋଲ୍ କରି ପାକିସ୍ତାନ ସହ ସମକକ୍ଷ ହୋଇଥିଲା । ଏହାପରେ ଦ୍ୱିତୀୟ କ୍ୱାର୍ଟର ଉପରେ ସମ୍ପୂର୍ଣ୍ଣ ରୂପରେ ଭାରତ କବଜା କରିଥିଲା । ମ୍ୟାଚର ୧୯ତମ ମିନିଟରେ ହରମନପ୍ରୀତ ପେନାଲ୍ଟି କର୍ଣ୍ଣର ଜରିଆରେ ଆଉ ଏକ ଗୋଲ୍ ଭେଟି ଦେଇଥିଲେ ।

ମୁକାବିଲାର ହାଫ୍ ଟାଇମ ପର୍ଯ୍ୟନ୍ତ ୨-୧ରେ ଆଗୁଆ ରହିଥିଲା ଭାରତ । ଏହାପରେ ତୃତୀୟ କ୍ୱାର୍ଟରରେ ଭାରତ ସହ ସମକକ୍ଷ ହେବାକୁ ଚେଷ୍ଟା କରି ଫେଲ୍ ହୋଇଛି ପାକିସ୍ତାନ । ସେହିପରି ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ କୌଣସି ଗୋଲ୍ ସଂଗ୍ରହ କରିବାରେ ବିଫଳ ହୋଇଛି । ତେବେ ଏହି ବିଜୟ ସହ ଏହି ଟୁର୍ଣ୍ଣାମେଣ୍ଟରେ ଲଗାତାର ପଞ୍ଚମ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ପାକିସ୍ତାନ ପୂର୍ବରୁ ଭାରତ କୋରିଆକୁ ୩-୧ରେ ପରାସ୍ତ କରିଥିଲା । ତେବେ ଉଭୟ ଦଳ ଏହି ମ୍ୟାଚ୍ ପୂର୍ବରୁ ହିଁ ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି ।

Get real time updates directly on you device, subscribe now.