ମୁନିରଙ୍କ ସେନାକୁ ବଡ଼ ଝଟକା ! ପାକିସ୍ତାନର ଏହି ୨ଟି ଅଞ୍ଚଳ ଏବେ ସେନାର କଣ୍ଟ୍ରୋଲ ବାହାରେ

ଇସଲାମାବାଦ: ଭାରତ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସେନାକୁ ବଡ ଝଟକା ଲାଗିଛି। ବଲୁଚିସ୍ତାନର ମୁଖ୍ୟ ଅଞ୍ଚଳ କେଚ ଓ ପଞ୍ଜଗୁର ଉପରେ ବଲୁଚ ଲିବରେସନ ଆର୍ମୀ (BLA) ନିୟନ୍ତ୍ରଣ ହାସଲ କରିଥିବା ରିପୋର୍ଟ ମିଳିଛି। ଏହି ଆକ୍ରମଣରେ ପାକିସ୍ତାନ ସେନାକୁ ପଛକୁ ହଟିବାକୁ ବାଧ୍ୟ କରାଯାଇଛି, ଯାହା ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।

ଶୁକ୍ରବାର ରାତିରେ ବଲୁଚ ଲଢୁଆମାନେ କେଚ ଜିଲ୍ଲାର ଦଶ୍ତୁକ ଓ କାଟଗାନ ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ତୀବ୍ର ଆକ୍ରମଣ କରିଥିଲେ। ଏକ ରିମୋଟ ନିୟନ୍ତ୍ରିତ IED ବିସ୍ଫୋରଣରେ ଜଣେ ସୈନିକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ କାଟଗାନରେ ସ୍ୱୟଂଚାଳିତ ଅସ୍ତ୍ର ସହ ଆକ୍ରମଣରେ ଅନେକ ସୁରକ୍ଷା କର୍ମୀ ହତାହତ ହୋଇଥିବା ଜଣାପଡ଼ିଛି। ଏହା ସହିତ ପଞ୍ଜଗୁର ସମେତ ଅନ୍ୟାନ୍ୟ ସହରରେ ମଧ୍ୟ BLA ପକ୍ଷରୁ ସମାନ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ପାକିସ୍ତାନୀ ସେନାର ନିୟନ୍ତ୍ରଣ ହରାଇବାକୁ ପଡ଼ିଥିଲା।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଅବାସୀ ଏହି ସ୍ଥିତିକୁ ନେଇ କହିଛନ୍ତି ଯେ, ବଲୁଚିସ୍ତାନରେ ସରକାର ଓ ସେନାର ନିୟନ୍ତ୍ରଣ ଦୁର୍ବଳ ହୋଇପଡ଼ିଛି, ବିଶେଷକରି ରାତି ସମୟରେ। ସେ ମଧ୍ୟ ଜେନେରାଲ ମୁନିରଙ୍କ ଦାବିକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ବଲୁଚିସ୍ତାନରେ କେବଳ ୧୫୦୦ ଆତଙ୍କବାଦୀ ଅଛନ୍ତି ବୋଲି କହିବା ଏକ ମିଥ୍ୟା ବର୍ଣ୍ଣନା।

ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପାକିସ୍ତାନ ସରକାର ବଲୁଚ ଆନ୍ଦୋଳନକାରୀ ଓ ମାନବାଧିକାର କର୍ମୀଙ୍କୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛନ୍ତି। ତେବେ, ଏହା ସତ୍ତ୍ୱେ ବଲୁଚିସ୍ତାନରେ ଉତ୍ତେଜନା ଜାରି ରହିଛି। ବଲୁଚ ଯାକଜେହତି କମିଟି (BYC) ପୂର୍ବରୁ ଚେତାବନୀ ଦେଇଥିଲା ଯେ, ଯଦି ସରକାର ଶାନ୍ତିପୂର୍ଣ୍ଣ ବିରୋଧୀଙ୍କୁ ମୁକ୍ତ ନକରେ, ତେବେ ସେମାନେ ସମଗ୍ର ବଲୁଚିସ୍ତାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେବେ।

ବଲୁଚ ଲଢୁଆମାନେ ଦୀର୍ଘ ଦିନ ଧରି ଅର୍ଥନୈତିକ ଶୋଷଣ, ମାନବାଧିକାର ଉଲ୍ଲଂଘନ ଓ ବଲୁଚିସ୍ତାନର ପ୍ରାକୃତିକ ସମ୍ପଦ ଲୁଟ୍‌ ବିରୋଧରେ ସଂଗ୍ରାମ କରୁଛନ୍ତି। ଏହି ଆକ୍ରମଣ ପାକିସ୍ତାନ ସେନାର ଦମନମୂଳକ ନୀତି ବିରୁଦ୍ଧରେ ଏକ ଜୋରଦାର ପ୍ରତିଶୋଧ ବୋଲି ବିବେଚନା କରାଯାଉଛି।

ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ମୁନିର ପୂର୍ବରୁ ବଲୁଚ ଲଢୁଆଙ୍କୁ କଠୋର ଚେତାବନୀ ଦେଇ କହିଥିଲେ ଯେ, “ଆମେ ଏହି ଆତଙ୍କବାଦୀମାନଙ୍କୁ ଖୁବ୍‌ ଶୀଘ୍ର ନିଶ୍ଚିତ ଭାବେ ଦମନ କରିବୁ।” କିନ୍ତୁ ବର୍ତ୍ତମାନର ଘଟଣାକ୍ରମ ତାଙ୍କ ଏହି ଦାବିକୁ ପ୍ରଶ୍ନବାଚୀ କରିଛି।