ଏସିଆ କପ୍ ୨୦୨୫ ପୂର୍ବରୁ ପାକିସ୍ତାନ ଜିତିଲା ବଡ଼ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ହାସଲ କଲା ଧମାକେଦାର ଜିତ୍
ପାକିସ୍ତାନକୁ ମିଳିଲା ବଡ଼ ସଫଳତା।
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପୂର୍ବରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଟ୍ରାଇ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଶାରଜାହ କ୍ରିକେଟ୍ ଗ୍ରାଉଣ୍ଡରେ ଖୋଳାଯାଇଥିଲା। ଯେଉଁଠାରେ ପାକିସ୍ତାନୀ ଦଳ ୭୫ ରନରେ ଏକ ସହଜ ବିଜୟ ହାସଲ କରିଥିଲା।
ଏହି ମ୍ୟାଚରେ ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ୧୪୧ ରନ କରିପାରିଥିଲା। ଜବାବରେ ଆଫଗାନିସ୍ତାନ ଦଳ ୬୬ ରନ କରି ଆଉଟ ହୋଇଯାଇଥିଲା।
ଏହି ବିଜୟ ସହିତ ପାକିସ୍ତାନ ଟ୍ରାଇ ସିରିଜର ଟାଇଟଲ୍ ଜିତିଥିଲା। ଏହା ଟି-୨୦ କ୍ରିକେଟରେ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନର ସବୁଠାରୁ ବଡ଼ ବିଜୟ ଥିଲା।
ପାକିସ୍ତାନର ବ୍ୟାଟସମ୍ୟାନମାନେ ବଡ଼ ଇନିଂସ ଖେଳିପାରିଲେ ନାହିଁ:
ଏହି ମ୍ୟାଚ୍ ବିଷୟରେ କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ଦଳର ଆରମ୍ଭ ବହୁତ ଖରାପ ଥିଲା। ପ୍ରଥମ ଓଭରର ତୃତୀୟ ବଲ୍ ରେ ସାହିବଜାଦା ଫରହାନ ଖାତା ନ ଖୋଲି ଆଉଟ୍ ହୋଇଥିଲେ।
ଏହା ପରେ ସାମ ଆୟୁବ ଏବଂ ଫଖର ଜମାନଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ ପାଇଁ ୪୯ ରନର ଭାଗୀଦାରି ହୋଇଥିଲା। ଆୟୁବ ୧୯ ରନ କରିଥିବା ବେଳେ ଫଖର ୨୭ ରନ କରିଥିଲେ।
ଏମାନଙ୍କ ବ୍ୟତୀତ ଅଧିନାୟକ ସଲମାନ ଅଲି ଆଗା ୨୪, ହାସନ ନୱାଜ ୧୫ ଏବଂ ମହମ୍ମଦ ନୱାଜ ୨୫ ରନ କରିଥିଲେ। ଫହୀମ ଆଶରଫ ୮ ବଲ୍ ରେ ୧୫ ରନର ଅବଦାନ ରଖିଥିଲେ।
ଆଫଗାନିସ୍ତାନ ପାଇଁ ବୋଲିଂରେ ରସିଦ ଖାନ ସର୍ବାଧିକ ୩ଟି ୱିକେଟ ନେଇଥିଲେ, ଯେତେବେଳେ ଫଜଲହକ ଫାରୁକି ଏବଂ ନୁର ଅହମ୍ମଦ ୨-୨ଟି ଲେଖାଏଁ ୱିକେଟ ନେଇଥିଲେ।
ମହମ୍ମଦ ନୱାଜଙ୍କ ଆଗରେ ଆଣ୍ଠୁମାଡ଼ି ବସିଲେ ଆଫଗାନିସ୍ତାନ ବ୍ୟାଟସମ୍ୟାନ୍:
ଆଫଗାନିସ୍ତାନର ବ୍ୟାଟିଂ ବିଷୟରେ କହିବାକୁ ଗଲେ, ରନ ଚେଜ୍ ସମୟରେ ସେମାନଙ୍କର ଆରମ୍ଭ ମଧ୍ୟ ଭଲ ନଥିଲା। ପ୍ରଥମ ଓଭରରେ ୫ ରନ କରି ଓପନର ରହମାନୁଲ୍ଲା ଗୁରବାଜ ଆଉଟ୍ ହୋଇଥିଲେ।
ଏହାପରେ ସେଦିକୁଲ୍ଲା ଅଟଲ ୧୫ ବଲରେ ୧୩ ରନ କରିଥିଲେ ଏବଂ ଇବ୍ରାହିମ ଜାଦ୍ରାନ ୧୫ ବଲରେ ୯ ରନ କରିଥିଲେ। ଏହାପରେ ଆଫଗାନିସ୍ତାନ ଦଳର ବ୍ୟାଟସମ୍ୟାନମାନେ ମହମ୍ମଦ ନୱାଜଙ୍କ ସ୍ପିନ୍ ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ।
ନୱାଜ ତାଙ୍କ ଚାରି ଓଭର ସ୍ପେଲରେ ୧୯ ରନ ଦେଇ ୫ ୱିକେଟ୍ ନେଇଥିଲେ ଏବଂ ଏହି ମ୍ୟାଚରେ ହ୍ୟାଟ୍ରିକ୍ ମଧ୍ୟ କରିଥିଲେ। ତାଙ୍କ ବ୍ୟତୀତ ସୁଫିଆନ ମୁକିମ ଏବଂ ଅବରାର ଅହମ୍ମଦ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଆଫଗାନିସ୍ତାନ ଦଳ ୧୫.୫ ଓଭରରେ ୬୬ ରନ କରି ଅଲଆଉଟ୍ ହୋଇଥିଲା।