fbpx

ଲୁଡୁ ଖେଳୁ ଖେଳୁ ‘ମୁଲାୟମ ସିଂହ’ଙ୍କୁ ଭଲ ପାଇଲେ: ସୀମା ପାର କରି ଭାରତରେ ପହଞ୍ଚିଲେ ପାକିସ୍ତାନୀ ଛାତ୍ରୀ

ନୂଆଦିଲ୍ଲୀ: କୁହାଯାଏ ଯେ ପ୍ରେମରେ ସୀମା କୌଣସି ପ୍ରତିବନ୍ଧକ ହୋଇନଥାଏ । ଆପଣ ଏହାକୁ ଫିଲ୍ମରେ ଦେଖିଥିବେ ବା ବହିରେ ପଢ଼ିଥିବେ । କିନ୍ତୁ ଏପରି ଏକ କାହାଣୀ ବେଙ୍ଗାଲୁରୁରୁ ସାମକ୍ନାକୁ ଆସିଛି । ସେଠାରେ ପାକିସ୍ତାନରୁ ଆସିଥିବା ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ତାଙ୍କ ପ୍ରେମିକ ସହ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ, ଏହି ଯୁବତୀ ବା ଛାତ୍ରୀ ଜଣକ ଲୁଡୁ ଖେଳିବା ସମୟରେ ଭାରତୀୟ ଯୁବକ ମୁଲାୟମ ସିଂ ଯାଦବଙ୍କ ସଂସ୍ପର୍ଶରେ ଆସିଥିଲେ । କିଛି ଦିନ ମଧ୍ୟରେ ସେମାନଙ୍କ ପ୍ରେମ ଏତେ ବଢ଼ିଗଲା ଯେ, ଯୁବତୀ ଜଣକ ନିଜ ଘର ଛାଡ଼ିବା ସହ ସୀମା ପାର୍ କରି ସେପ୍ଟେମ୍ବର ୨୦୨୨ ରେ ଭାରତରେ ପହଞ୍ଚିଥିଲେ । ସେଠାରେ ସେ ନିଜ ପ୍ରେମିକଙ୍କୁ ମଧ୍ୟ ବିବାହ କରିଥିଲେ, କିନ୍ତୁ ପୋଲିସ ଏହି ବିଷୟରେ ସୂଚନା ମିଳିବା ପରେ ସେମାନଙ୍କ ବୈବହିକ ଜୀବନରେ ସମସ୍ୟା ଆରମ୍ଭ ହୋଇଛି ।

ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ପ୍ରେମିକ ତାଙ୍କୁ ଆଶ୍ରୟ ଦେଇଥିବାରୁ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପୋଲିସର ପଚରାଉଚୁରାରେ ଏହି ପ୍ରେମୀ ଯୁଗଳ କହିଥିଲେ ଯେ, ସେମାନେ ଦୀର୍ଘ ଦିନ ଧରି ମୋବାଇଲ୍ ଆପରେ ଲୁଡୁ ଖେଳୁଥିଲେ । ଏହି ସମୟରେ ପାକିସ୍ତାନର ବାସିନ୍ଦା ଇକ୍ରା ଜୀୱାନି ଉତ୍ତରପ୍ରଦେଶର ଜଣେ ଯୁବକ ମୁଲାୟମ ସିଂ ଯାଦବଙ୍କ ସହ ଯୋଗାଯୋଗ କରିଥିଲେ ।

ପ୍ରଥମେ କଥାବାର୍ତ୍ତା ହୋଇଥିଲା, ତା’ପରେ ବନ୍ଧୁତା ହୋଇଥିଲା ଏବଂ ଧୀରେ ଧୀରେ ଏହା ପ୍ରେମରେ ପରିଣତ ହୋଇଥିଲା । ହୃଦୟ ଦିଆନିଆ ପରେ ଦୁହେଁ ଭେଟ କରିବାକୁ ଚାହିଁଥିଲେ, କିନ୍ତୁ ପାକିସ୍ତାନରେ ତ ଏହା ସମ୍ଭବ ନଥିଲା । ଏଭଳି ପରିସ୍ଥିତିରେ ଯୁବତୀ ଜଣକ ନିଜ ଘର ଛାଡି ଭାରତ ଆସିବାକୁ ସ୍ଥିର କରିଥିଲେ ଓ ସେପ୍ଟେମ୍ବର ୨୦୨୨ରେ ନେପାଳ ଦେଇ ବାଙ୍ଗାଲୁରୁରେ ପହଞ୍ଚିଥିଲେ ।

ପାକିସ୍ତାନୀ ଯୁବତୀ ଇକ୍ରାଙ୍କ କହିବା ମୁତାବକ, ସେ ନିଜ ଭାରତୀୟ ପ୍ରେମିକଙ୍କ ନିକଟକୁ ସେପ୍ଟେମ୍ବର ୨୦୨୨ ରେ ଆସିଥିଲେ । କିଛି ଦିନ ଏକାଠି ରହିବା ପରେ ଦୁହେଁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ଏବଂ ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହିବାକୁ ଲାଗିଲେ । ଏହି ସମୟରେ ପୋଲିସ କୌଣସି ସ୍ଥାନରୁ ଏହି ସୂଚନା ପାଇଥିଲା । ଏହା ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।

ପୋଲିସର ସୂଚନାନୁସାରେ, ଯୁବତୀ ଜଣକ ନକଲି ଡକ୍ୟୁମେଣ୍ଟ ତିଆରି କରି ଭାରତ ଆସିବା ସହ ବେଆଇନ ଭାବେ ଏଠାରେ ବାସ କରିବା ଆରମ୍ଭ କରିଥିଲେ । ଅନ୍ୟପଟରେ ତାଙ୍କ ପ୍ରେମିକ ମଧ୍ୟ ସବୁକିଛି ଜାଣି ତାଙ୍କୁ ସୁରକ୍ଷା ଦେବାର କାମ କରିଛନ୍ତି । ଏଭଳି ପରିସ୍ଥିତିରେ ଉଭୟଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.