fbpx

ବିନା ବେତନରେ କାର୍ଯ୍ୟ କରିବେ ପାକିସ୍ତାନର ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ଇସଲାମାବାଦ: ବର୍ତ୍ତମାନ ପାକିସ୍ତାନ ଇତିହାସର ସବୁଠାରୁ ବଡ଼ ଆର୍ଥିର୍କ ସଙ୍କଟ ଦେଇ ଗତି କରୁଛି । ଏଥିମଧ୍ୟରେ ଆସିଫ୍ ଅଲି ଜରଦାରୀ(Asif Ali Zardari) ଦେଶର ୧୪ତମ ରାଷ୍ଟ୍ରପତି ଭାବେ ମାର୍ଚ୍ଚ ୧୦ରେ ଶପଥ ଗ୍ରହଣ କରିଥିଲେ । ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ନିଜ କାର୍ଯ୍ୟକାଳ ସମୟରେ କୌଣସି ବେତନ ନେବେ ନାହିଁ (President Forgo Salary) ବୋଲି ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତିକୁ ଦେଶର ନୂତନ ଗୃହମନ୍ତ୍ରୀ ମଧ୍ୟ ନିଜ ସମର୍ଥନ ପ୍ରକାଶ କରିଛନ୍ତି ।

ପିଟିଆଇ ସୂତ୍ରରୁ ପ୍ରକାଶ ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଆସିଫ୍ ଅଲି ଜରଦାରୀ ନିଜ କାର୍ଯ୍ୟକାଳ ସମୟରେ କୌଣସି ବେତନ ନେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଥିଲେ । ଦେଶରେ ଦୀର୍ଘ ସମୟ ଧରି ଜାରି ରହିଥିବା ଆର୍ଥିକ ସଙ୍କଟ ଏବଂ ମୁଦ୍ରାସ୍ଫିତୀ କାରଣରୁ ଦେଶବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ୬୮ ବର୍ଷୀୟ ରାଷ୍ଟ୍ରପତି ଜରଦାରୀ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଦେଶରେ ଦେଖାଦେଇଥିବା ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତିକୁ ଦେଖି ସହଯୋଗ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ଦେଶର ରାଜସ୍ୱ ଉପରେ କୌଣସି ଚାପ ପଡ଼ିବ ନାହିଁ ।’

କହିରଖୁଛୁ ପାକିସ୍ତାନର ରାଷ୍ଟ୍ରପତି ଜରଦାରୀଙ୍କ ଏଭଳି ନିଷ୍ପତ୍ତି ସମ୍ପର୍କିତ ରାଷ୍ଟ୍ରପତି ସଚିବାଳୟ ପ୍ରେସ୍ ୱିଙ୍ଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ପାକିସ୍ତାନର ସଂସଦ ଦ୍ୱାରା ରାଷ୍ଟ୍ରପତିଙ୍କ ବେତନ ନିର୍ଦ୍ଧାରିତ କରାଯାଇଥାଏ । ଏହି ପଦବୀରେ ଥିବା ବ୍ୟକ୍ତିଙ୍କୁ ମାସିକ ୮, ୪୬, ୫୫୦ ଟଙ୍କା ମିଳିଥାଏ । ଏହା ବ୍ୟତୀତ ଅନ୍ୟ ଭତ୍ତାର ବି ଲାଭ ମିଳିଥାଏ । ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତିର ଅନୁସରଣ କରି ଦେଶର ନୂତନ ଗୃହମନ୍ତ୍ରୀ ମୋହସିନ୍ ନକୱି(Mohasin Naqvi) ମଧ୍ୟ ବିନା ବେତନରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଆମେ ସବୁ ପ୍ରକାରରେ ଦେଶର ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ, ଏହା ଏକ ଆହ୍ୱାନପୂର୍ଣ୍ଣ ସମୟ ।’

ଏହା ବ୍ୟତୀତ ରାଷ୍ଟ୍ରପତି ଦେଶରେ ୨ୟ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିବା ସମୟରେ ଆଉ ଏକ ବଡ଼ ଘୋଷଣା କରିଥିଲେ । ଦେଶର ‘ଫାଷ୍ଟ ଲେଡି’ ମାନ୍ୟତା ତାଙ୍କ ସୁପୁତ୍ରୀ ଆସିଫା ଜରଦାରୀଙ୍କୁ ଦେବା ପାଇଁ ଘୋଷଣା କରିଥିଲେ । ଇତିହାସରେ ପ୍ରଥମ ଥର ପାଇଁ ଏପରି ହେବେ ଯେବେ କୌଣସି ରାଷ୍ଟ୍ରପତିଙ୍କ ସୁପୁତ୍ରୀଙ୍କୁ ‘ଫାଷ୍ଟ ଲେଡି’ର ମାନ୍ୟତା ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.