fbpx

କ୍ରିକେଟ ଚୟନ କମିଟିକୁ ଭାଙ୍ଗିଲା ପିସିବି; ୨୦୨୩ ବିଶ୍ୱକପରୁ ବିଦା ହେବା ପରେ ପାକିସ୍ତାନରେ ଅସନ୍ତୋଷର ନିଆଁ

AAKASH

ଓଡିଶା ଭାସ୍କର: ବିଶ୍ୱକପ-୨୦୨୩ର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିବାରେ ଅସମର୍ଥ ହୋଇଛି ପାକିସ୍ତାନ ଦଳ। ଲିଗ୍ ଷ୍ଟେଜର ଶେଷ ମ୍ୟାଚରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇ ବିଶ୍ୱକପରେ ଯାତ୍ରା ଶେଷ କରିଛି ବାବର ସେନା । ତେବେ ପାକିସ୍ତାନର ଏହି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳର ଅଧିନାୟକ ବାବର ଆଜମଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି । ଦଳକୁ ବିଜୟରେ ପହଞ୍ଚାଇବାରେ ସଫଳ ହୋଇନାହାନ୍ତି ଅଧିନାୟକ ବାବର ଆଜମ । ଯେଉଁଥିପାଇଁ ସେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଦଳର କିଛି ପୂର୍ବତନ ଖେଳାଳି ବାବରଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି କରୁଛନ୍ତି। କିନ୍ତୁ ଏହାରି ଭିତରେ ଏକ ବଡ଼ ନିଷ୍ପତି ନେଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ଦଳର ଚୟନ କମିଟିକୁ ପିସିବି ଭାଙ୍ଗିଥିବା ସୂଚନା ରହିଛି ।

ସୂଚନା ଥାଉକି, ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରଭାବ କ୍ରିକେଟ୍ ବୋର୍ଡରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏହା ପୂର୍ବରୁ ଦଳର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକ୍ ଇସ୍ତଫା ଦେଇଥିଲେ। ପରେ ପରେ ବୋଲିଂ କୋଚ୍ ମର୍ନି ମର୍କେଲ ମଧ୍ୟ ଇସ୍ତଫା ଦେଇଥିଲେ । ଆଗାମୀ ଦିନରେ ପାକିସ୍ତାନର ପୂର୍ବତନ ଖେଳାଳି ୟୁନିସ୍ ଖାଁ କିମ୍ବା ମହମ୍ମଦ ହାଫିଜ୍ ନୂଆ ମୁଖ୍ୟ ଚୟନକର୍ତ୍ତା ହେବା ଦୌଡ଼ରେ ସବୁଠୁ ଆଗରେ ଥିବା ଜଣାପଡିଛି। ସେହିପରି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋହେଲ ତନବୀର ଓ ୱାହାବ ରିୟାଜ ମଧ୍ୟ ଚୟନ କମିଟିରେ ରହିପାରନ୍ତି। ତେବେ ଏସବୁ ଭିତରେ, ବର୍ତ୍ତମାନ ଏହା ମଧ୍ୟ ଦେଖାଯାଉଛି ପିସିବି ଖୁବ ଶୀଘ୍ର ବାବରଙ୍କ ଅଧିନାୟକତ୍ୱ ବିଷୟରେ ଏକ ବଡ ନିଷ୍ପତ୍ତି ନେଇପାରେ।

ସୂଚନା ଯୋଗ୍ୟ, ଏହି ଚୟନ ସମିତିକୁ ବହିଷ୍କାର କରିବା ପରେ ପିସିବି ଅଧ୍ୟକ୍ଷ ଜାକା ଅଶରଫ ଲାହୋରରେ ୟୁନିସ୍ ଖାନ୍, ମହମ୍ମଦ ହାଫିଜ୍, ସୋହେଲ୍ ତନବୀର ଏବଂ ୱାହାବ ସିରାଜଙ୍କୁ ଭେଟିଥିଲେ, ଯାହାର ଫଟୋ ପିସିବିର ଅଫିସିଆଲ୍ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା।

Get real time updates directly on you device, subscribe now.