fbpx

Pearls ନିବେଶକଙ୍କୁ ମିଳିବ ବକେୟା ଟଙ୍କା: ଆସିଲା ନୂଆ ଅପଡେଟ୍, ଜାରି ହେଲା ସମୟସୀମା

ନୂଆଦିଲ୍ଲୀ: ଯଦି ଆପଣଙ୍କର ଅର୍ଥ ପିଏସିଏଲ ଇଣ୍ଡିଆ ଲିମିଟେଡ ବା ପିଅର୍ଲସରେ ଫସି ରହିଛି ତେବେ ଏନେଇ ଆସିଛି ଏକ ନୂଆ ଅପଡେଟ୍ । ଖୁବଶୀଘ୍ର ପିଅର୍ଲସ ଖାତାଧାରୀଙ୍କୁ ସେମାନଙ୍କର ବକେୟା ଅର୍ଥ ପ୍ରଦାନ କରାଯିବ । ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ପକ୍ଷରୁ ନିବେଶକଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେବି ମୁତାବକ, ନିବେଶକଙ୍କୁ ଅର୍ଥ ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର କିଛି ଗ୍ରାହକଙ୍କ କ୍ଲେମରେ ଏକାଧିକ ତ୍ରୁଟି ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି । ଏଭଳି ଦାବିଦାରଙ୍କୁ ପେମେଣ୍ଟ କରାଯାଇନାହିଁ । ଏପରି ମାମଲା ରହିଥିଲେ ନିବେଶକଙ୍କୁ ଅର୍ଥ ମିଳିବାରେ ବିଳମ୍ବ ହେବ । ପିଏସିଏଲ ଅର୍ଥ ଫେରସ୍ତ ନେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଆର.ଏମ ଲୋଧାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟି ମାଧ୍ୟମରେ ନିବେଶକଙ୍କୁ ଅର୍ଥ ଫେରସ୍ତ କରାଯାଉଛି ।

ଯେଉଁ ଲୋକମାନେ ୧୫ ହଜାର ଟଙ୍କାର କ୍ଲେମ କରିଥିଲେ, ସେମାନଙ୍କୁ ଅର୍ଥ ଫେରସ୍ତ କରାଯାଉଛି । ମାତ୍ର ଯେଉଁ ଆବେଦନକାରୀଙ୍କ ଫର୍ମରେ କିଛି ତ୍ରୁଟି ରହିଥିଲା, ସେମାନଙ୍କ ଅର୍ଥ ଅଟକି ରହିଛି । ଏ କ୍ଷେତ୍ରରେ ଆପଣମାନେ ଘରେ ବସି ଅନଲାଇନରେ ଉକ୍ତ ତ୍ରୁଟିକୁ ସଂଶୋଧନ କରିପାରିବେ । ନିବେଶକଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଗତ ୨୦୨୦ ଜାନୁଆରୀ ମାସରୁ ଆରମ୍ଭ ହୋଇଥିଲା । ତଦନୁଯାୟୀ ଗ୍ରାହକମାନେ ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଲେମ କରିବା ନେଇ କୁହାଯାଇଥିଲା ।

ଏହାପରେ ୨୦୨୧ ଜାନୁଆରୀରେ ନିବେଶକଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଲେମ କରିବା ପାଇଁ କୁହାଯାଇଥିଲା । ତା’ପରେ ୨୦୨୨ ଏପ୍ରିଲରେ ନିବେଶକଙ୍କୁ ୧୦,୦୦୧ରୁ ୧୫୦୦୦ ପର୍ଯ୍ୟନ୍ତ କ୍ଲେମ ନେଇ ଆବେଦନ କରିବାକୁ ସେବି ପକ୍ଷରୁ କୁହାଯାଇଥିଲା । ଏବେ ଗ୍ରାହକକମାନେ ୨୦୨୩ ଜାନୁଆରୀ ପର୍ଯ୍ୟନ୍ତ ୧୫୦୦୦ ଟଙ୍କା ରିଫଣ୍ଡ ପାଇଁ ଦାବି କରିପାରିବେ । ଏଥିସହିତ sebipaclrefund.co.inକୁ ଯାଇ ନିଜର ଫର୍ମରେ ଥିବା ତ୍ରୁଟିକୁ ସୁଧାରି ପାରିବେ ।

Get real time updates directly on you device, subscribe now.