fbpx

ମାଗଣା ତୀର୍ଥଯାତ୍ରା ସହ ୨ ଗୁଣ ବଢିବ ପେନସନ୍: ଦୀପାବଳିର ଉପହାର ଦେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଏଣିକି ବୃଦ୍ଧକାଳରେ ଟଙ୍କାର ଅଭାବ ଯୋଗୁଁ ଅସୁବିଧାର ସାମ୍ନା କରିବେ ନାହିଁ ରାଜ୍ୟବାସୀ । ଏହାସହିତ ତୀର୍ଥଯାତ୍ରା ପାଇଁ ମଧ୍ୟ ପିଲାଙ୍କୁ ଟଙ୍କା ମାଗିବାକୁ ପଡ଼ିବ ନାହିଁ । କାରଣ ବୟସ୍କ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଦୀପାବଳି ଉପହାର । ବିଭିନ୍ନ ସ୍ଥାନକୁ ମାଗଣା ତୀର୍ଥଯାତ୍ରା ସହିତ ପେନସନ ରାଶିରେ ମଧ୍ୟ ଦୁଇ ଗୁଣ ବୃଦ୍ଧି ପାଇବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ବୟସ୍କ ନାଗରିକଙ୍କ ସମେତ ଯୁଦ୍ଧରେ ସାମିଲ ଥିବା ରାଜ୍ୟର ପୂର୍ବ ସୈନିକ ଏବଂ ସେମାନଙ୍କ ବିଧବା ପତ୍ନୀଙ୍କ ପାଇଁ ପେନସନ ରାଶି ମଧ୍ୟ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ବ୍ୟବସାୟୀମାନଙ୍କୁ ମଧ୍ୟ ଦୀପାବଳିର ଉପହାର ଦେଇଛନ୍ତି ରାଜ୍ୟ ସରକାର ।

ସୂଚନା ଅନୁସାରେ, ଆଜି ପଞ୍ଜାବ ସରକାରଙ୍କ କ୍ୟାବିନେଟ ବୈଠକରେ ଅନେକ ନୂଆ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଜାରି କରିଛନ୍ତି ଅର୍ଥମନ୍ତ୍ରୀ ହରପାଲ ଚୀମା । ଏହାପରେ ପଞ୍ଜାବ ସରକାରଙ୍କ ତରଫରୁ ବିଭିନ୍ନ ଜନହିତକର ଯୋଜନା ଆରମ୍ଭ ହୋଇଛି । ଏହି କ୍ରମରେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ତୀଥ ଯାତ୍ରା ସ୍କିମ ମଧ୍ୟ ଆରମ୍ଭ କରାଯାଇଛି । ଏହି ଯୋଜନାରେ ରାଜ୍ୟର ବୟସ୍କ ନାଗରିକମାନଙ୍କୁ ବିଭିନ୍ନ ଧାର୍ମିକ ସ୍ଥାନକୁ ମାଗଣାରେ ଯାତ୍ରା କରିବାର ଦାୟିତ୍ୱ ନେବେ ରାଜ୍ୟ ସରକାର । ଏଥିପାଇଁ ୪୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏହାବ୍ୟତୀତ ଏଥିପାଇଁ କ୍ୟାବିନେଟ ମନ୍ତ୍ରୀ ଅମନ୍ ଅରୋଡା, କୁଳଦୀପ ସିଂହ ଧାଲିବାଲ ଏବଂ ଲାଲଜିତ ଭୁଲ୍ଲରଙ୍କୁ ନେଇ ଏକ ସବ୍ କମିଟି ଗଠନ କରାଯାଇଛି ।

ସେହିପରି ପଞ୍ଜାବର ପୂର୍ବ ସୈନିକଙ୍କ ବିଧବା ପତ୍ନୀଙ୍କୁ ଦିଆଯାଉଥିବା ପେନସନ୍ ରାଶିକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବ ରାଶି ଅପେକ୍ଷା ଏହାକୁ ଦୁଇ ଗୁଣ ବୃଦ୍ଧି କରାଯାଇ ୨୦ ହଜାର ଟଙ୍କା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏହାବ୍ୟତୀତ ଯୁଦ୍ଧରେ ୭୬-୧୦୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ପୂର୍ବ ସୈନିକଙ୍କୁ ଏକ୍ସ ଗ୍ରେସିଆ ରାଶି ୨୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ସେହିପରି ୫୧-୭୫ ପ୍ରତିଶତ ଦିବ୍ୟାଙ୍ଗ ସୈନିକଙ୍କ ପେନସନ୍ ରାଶି ୧୦ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇଁ ୨୦ ଲକ୍ଷ କରାଯାଇଥିବା ବେଳେ ୨୫-୫୦ ପ୍ରତିଶତ ଦିବ୍ୟାଙ୍ଗଙ୍କ ପେନସନ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.