fbpx

ଏହି ସ୍ଥାନରେ ମୃତ୍ୟୁବରଣ କରିବା ପାଇଁ ଇଚ୍ଛା ରଖନ୍ତି ଲୋକେ: ମିଳିଥାଏ ମୋକ୍ଷ

ନୂଆଦିଲ୍ଲୀ: ଅନେକ ପ୍ରକାରର ପୀଠସ୍ଥଳୀରୁ ଆରମ୍ଭ କରି ମନ୍ଦିର ମସଜିଦ ଏବଂ ପର୍ଯ୍ୟଟନ ସ୍ଥାନ ଭାରତକୁ ଅନ୍ୟ ଦେଶଗୁଡିକ ତୁଳନାରେ ସ୍ୱତନ୍ତ୍ର ପରିଚୟ ଦେଇଛି । ପ୍ରତ୍ୟେକ ସ୍ଥାନର କିଛି ନା କିଛି ମହତ୍ତ୍ୱ ରହିଛି । ଯେଉଁଥିପାଇଁ କେବଳ ଦେଶ ନୁହେଁ ଭାରତ ବାହାରେ ମଧ୍ୟ ଏହାର ଚର୍ଚ୍ଚା ହୋଇଥାଏ । ଅଯୋଦ୍ଧା ରାମ ମନ୍ଦିର ହେଉ କିମ୍ବା ପୁରୀର ଜଗନ୍ନାଥ ମନ୍ଦିର କିମ୍ବା ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର କିମ୍ବା ଆଗ୍ରାର ତାଜମହଲ । ସାରା ବିଶ୍ୱରେ ଏହି ସ୍ଥାନଗୁଡିକ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ସେହିପରି ଉତ୍ତରପ୍ରଦେଶର ବାରାଣସୀରେ ଏପରି ଏକ ସ୍ଥାନ ରହିଛି । ଏହି ସ୍ଥାନର ବିଶେଷତ୍ତ୍ୱ ହେଉଛି ଲୋକମାନେ ଏଠାରେ ନିଜ ଜୀବନର ଶେଷ ମୁହୂର୍ତ୍ତ କଟାଇବା ପାଇଁ ଇଚ୍ଛା ରଖିଥାନ୍ତି । ଏଠାରେ ଏକ ଭବନ ରହିଛି ଯେଉଁଠି ଲୋକମାନେ କେବଳ ମୃତ୍ୟୁବରଣ କରିବା ପାଇଁ ଆସିଥାନ୍ତି । ତେଣୁ ଏହାକୁ ‘ମୁକ୍ତି ଭବନ’ ବୋଲି କୁହାଯାଏ । ୧୯୦୮ ମସିହାରେ ଏହି ଭବନ ନିର୍ମାଣ କରାଯାଇଥିଲା । ଏକ ପୁସ୍ତକରେ ଏଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ହିସାବ ରଖାଯାଇଥାଏ । ତେବେ ଏଠାକୁ ଆସିବାର କିଛି ଦିନ ମଧ୍ୟରେ ପ୍ରାଣ ହରାଇଥିବା ଲୋକମାନଙ୍କ ନାମ ଏହି ପୁସ୍ତକରେ ସ୍ଥାନ ପାଇଛି । ହିନ୍ଦୁ ଧର୍ମରେ ବିଶ୍ୱାସ ରଖିଥିବା ଲୋକ ନିଜର ଶେଷ ସମୟ ଏଠାରେ ବିତାଇବା ପାଇଁ ଇଚ୍ଛା କରିଥାନ୍ତି । ତେବେ ଏହି ଭବନରେ ୧୨ଟି କୋଠରୀ ରହିଛି ।

ଏହାସହିତ ଏକ ଛୋଟ ମନ୍ଦିର ଏବଂ ପୂଜାରୀ ମଧ୍ୟ ରହିଛନ୍ତି । ତେବେ ଏହି କୋଠରୀରେ କେବଳ ସେହିମାନେ ରହିପାରନ୍ତି, ଯେଉଁମାନେ ମୃତ୍ୟୁର ଦ୍ୱାରଦେଶରେ ରହିଥାନ୍ତି । ଜୀବନର ଶେଷ ସମୟରେ ଥିବା ବ୍ୟକ୍ତି ଏହି କୋଠରୀରେ ୨ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଭବନରେ ଜଣେ ସ୍ଥାନୀୟ ଗାୟକ ମଧ୍ୟ ରହିଛନ୍ତି । ସେ କେବଳ ଭକ୍ତି ସହିତ ଜଡିତ ଗୀତ ଗାଇଥାନ୍ତି । ତେବେ ଏହି ବଖରାର ପ୍ରତିଦିନ ଭଡା ୭୫ ଟଙ୍କା ରହିଛି । ପୂଜାରୀ ଜଣକ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଆରତୀ ପରେ ଏଠାରେ ଥିବା ରହୁଥିବା ଲୋକଙ୍କୁ ଗଙ୍ଗାଜଳ ଛିଞ୍ଚିଥାନ୍ତି । ଏହାଦ୍ୱାରା ମୃତ୍ୟୁ ସମୟରେ ସେମାନଙ୍କୁ ଶାନ୍ତିରେ ମୁକ୍ତି ମିଳିପାରିବ । ତେବେ ୨ ସପ୍ତାହ ମଧ୍ୟରେ ଯଦି ବ୍ୟକ୍ତିଙ୍କ ମୃତ୍ୟୁ ନ ହୁଏ, ତେବେ ତାଙ୍କୁ ସେହି ଘର ଛାଡିବାକୁ ପଡିଥାଏ ।

Get real time updates directly on you device, subscribe now.