fbpx

ଶ୍ରୀକ୍ଷେତ୍ରରେ ମିଳିଲାନି ‘ସାବିତ୍ରୀ’ ଅବଢା; ଶ୍ରଦ୍ଧାଳୁ ନିରାଶ

ପୁରୀ: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ପାଇଁ ମହାପ୍ରସାଦ ବିକ୍ରୟ ନେଇ ଅଣ୍ଟା ଭିଡିଥିଲା ପୁରୀ ଜିଲ୍ଲା ପ୍ରଶାସନ । କିନ୍ତୁ ଏଥିରେ ଦେଖିବାକୁ ମିଳିଥିଲା ଅବ୍ୟବସ୍ଥା । ଲୋକେ ଘଂଟା ଘଂଟା ଧରି ଟୋକେନ ଧରି ଛିଡା ହୋଇଥିବାବେଳେ ସେମାନଙ୍କୁ ଅବଢ଼ା ମିଳି ପାରିଲା ନାହିଁ । ଯାହାକୁ ନେଇ ଢ଼େର ସମୟ ପର୍ଯ୍ୟନ୍ତ ଅବଢ଼ା ପାଇଁ ଅପେକ୍ଷା କରିଥିବା ଲୋକେ ହୋ ହାଲ୍ଲା କରିଥିଲେ । ମୋଟାମୋଟି ଭାବେ ଜିଲ୍ଲା ପ୍ରଶାସନ ଏକା ଏକା ଶ୍ରେୟ ନେବା ଆଳରେ ଏକ ବିପଦଜନକ ସ୍ଥିତି ତିଆରି କଲା ବୋଲି ଏବେ ଆଲୋଚନା ହେଉଛି ।

ସାବିତ୍ରୀ ଅମାବାସ୍ୟାରେ ବ୍ରତଧାରୀ ମହିଳା ମହାପ୍ରସାଦ ଭୋଜନ କଲେ କୋଟିପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ଏହିଦିନ ଶ୍ରୀମନ୍ଦିର ବାହାରେ ଯଥେଷ୍ଟ ଭିଡ ହେବାର ଆଶଙ୍କା ରହିଥିଲା । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ୧୦ଟି ଲେଖାଏଁ କାଉଣ୍ଟର କରି ଦିନ ୧୧ଟା ପରଠାରୁ ଟୋକେନ ଦିଆଯିବ ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ଶୃଙ୍ଖଳିତ ଭାବେ ସମସ୍ତଙ୍କୁ ମହାପ୍ରସାଦ ବଂଟନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଥିଲା । ଏପରିକି ଅସ୍ଥାୟୀ ସେଡରେ ଚେୟାର ପକାଇ ଲୋକଙ୍କୁ ବସାଇବାର ବ୍ୟବସ୍ଥା ହୋଇଥିଲେ ବି ଲୋକସଂଖ୍ୟା ବଢ଼ିବା ହେତୁ ତାହା ଆଉ କାମରେ ଲାଗି ନଥିଲା । ଲୋକେ ସବୁ ନିୟମ ଭୁଲି ପୁଲିସ ଉପସ୍ଥିତିରେ ଉତ୍ତର ଓ ଦକ୍ଷିଣ ଦ୍ୱାର ସାମ୍ନାରେ ଘଂଟା ଘଂଟା ଧରି ଏକାଠି ହୋଇଥିଲେ । ପୁଲିସ ସବୁ ଦେଖିଥିଲେ ବି ଚୁପ ଚାପ ରହିଥିଲା । ଏମିତିକି ଜିଲ୍ଲା ପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ ଢ଼େର ସମୟ ଯାଏଁ ଦେଖା ଦେଇନଥିଲେ ।

ମୋଟାମୋଟି କହିବାକୁ ଗଲେ କୋଭିଡ ନିୟମ ସବୁ ଚୁଲିକି ଯାଇଥିଲା । ଲୋକେ ସାମାଜିକ ଦୂରତା ଭୁଲି ଅବଢ଼ା ନେବାକୁ ଏକାଠି ହୋଇଥିଲେ । କାଉଣ୍ଟରରୁ ଟୋକେନ ଆଣିବି ଦୀର୍ଘ ସମୟ ଯାଏଁ ଲୋକଙ୍କୁ ଅବଢ଼ା ମିଳିନଥିଲା । ହେଲେ ନିୟମ ଭାଙ୍ଗି କିଛି ବ୍ୟକ୍ତି ଶ୍ରୀମନ୍ଦିର ଭିତରୁ ଅବଢ଼ା ଆଣିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉତ୍ତେଜନା ବଢ଼ିଥିଲା । ପାର୍କିଂ, ବ୍ୟାରିକେଡ, କୋଭିଡ ଗାଇଡଲାଇନ ସବୁର ଧଜିଆ ଉଡାଇ ଲୋକେ ଗହଳି କଲେ । ଯାହା ଦେଖିଲେ ଜିଲ୍ଲା ପ୍ରଶାସନର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।

Get real time updates directly on you device, subscribe now.