ଏ କି ଚମତ୍କାର! କୂଅ ଭିତରୁ ପାଣି ବଦଳରେ ବାହାରୁଛି ଖାଲି ପେଟ୍ରୋଲ, ବାଲଟି ଧରି ଦୌଡ଼ିଲେ ଲୋକେ

ନୂଆଦିଲ୍ଲୀ: ବେଳେବେଳେ ଆମର ଆଖାପାଖ ଅଞ୍ଚଳରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ଏହା ମଧ୍ୟରେ ଅଜବ ଘଟଣା ସାମ୍ନାକୁ ଆସିଛି । ସାଧାରଣ ଭାବେ କୂଳରୁ ପାଣି ବାହାରିଥାଏ ବୋଲି ଆମେ ସମସ୍ତେ ଜାଣିଛେ । ତେବେ କୂଅରୁ ଯଦି ପାଣି ବଦଳରେ ପେଟ୍ରୋଲ ବାହାରିବ, ତେବେ ଏହାକୁ କ’ଣ କେହି ବିଶ୍ୱାସ କରିବେ? କିଏ ବିଶ୍ୱାସ କରୁ କି ନ କରୁ, କଥାଟା କିନ୍ତୁ ସତ । କିନ୍ତୁ ଘଟଣା ଭିତରେ ଲୁଚି ରହିଛି ବଡ଼ ରହସ୍ୟ ।

ପ୍ରକୃତ କଥା ହେଉଛି, ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାର ଗିଦମ ଠାରେ ଦେଖିବାକୁ ମିଳିଛି ଏଭଳି ଚମତ୍କାର । ଜଣେ ବ୍ୟକ୍ତିଙ୍କ କୂଅରୁ ପାଣି ବଦଳରେ ପେଟ୍ରୋଲ ବାହାରୁଥିବା ଖବର ନିମିଷକ ମଧ୍ୟରେ ଚାରିଆଡ଼େ ବ୍ୟାପିଯାଇଥିଲା । ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ମହଙ୍ଗା ହୋଇଥିବା ବେଳେ ଲୋକମାନେ ମାଗଣା ପେଟ୍ରୋଲ ନେବା ଆଶାରେ ଘରୁ ବାଲଟି ନେଇ ଦୌଡ଼ିଥିଲେ । ଲୋକମାନେ ରାତିରେ ପେଟ୍ରୋଲ ବାହାରୁଥିବା ଦେଖିଥିଲେ । ତେେବେ ସକାଳ ହେବା ବେଳକୁ ସତେ ଯେମିତି ସବୁକିଛି ଓଲଟପାଲଟ ହୋଇଯାଇଥିଲା ।

ଏହି ଖବର ବିଷୟରେ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ କୂଅକୁ ସିଲ୍ କରିଦିଆଯାଇଥିଲା । ଏଥିସହିତ ସେହି ଅଞ୍ଚଳର ଅତିରିକ୍ତ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିଲା । ପ୍ରଥମେ ଲୋକମାନେ ଏହି ଘଟଣା ବିଷୟରେ କିଛି ବୁଝି ପାରିନଥିଲେ । ମାତ୍ର ପରେ ବୁଝିବା ବେଳକୁ ସେମାନଙ୍କର ହୋସ୍ ଉଡ଼ିଯାଇଥିଲା । ପ୍ରକୃତ କଥା ହେଉଛି, ଗିଦମର ବସଷ୍ଟାଣ୍ଡ ନିକଟରେ ରହିଥିବା ଏକ ହିନ୍ଦୁସ୍ତାନ ପେଟ୍ରୋଲିୟମ ପେଟ୍ରୋଲ ପମ୍ପର ଟାଙ୍କିରୁ ପେଟ୍ରୋଲ ଲିକେଜ୍ ହୋଇଯାଇଥିଲା । ଏହି ଲିକ୍ ହେବା କାରଣରୁ ଆଖାପାଖର ଲୋକଙ୍କ କୂଅରୁ ପାଣି ବଦଳରେ ପେଟ୍ରୋଲ ବାହାରିବା ଆରମ୍ଭ ହୋଇଯାଇଥିଲା । ଏହାପରେ ଲୋକମାନେ ତାହାକୁ ଏକ ଚମତ୍କାର ବୋଲି ଗ୍ରହଣ କରିନେଇଥିଲେ । ମାତ୍ର ପ୍ରକୃତ ସତ୍ୟ ପଦାକୁ ଆସିବା ପରେ ସେମାନେ ସତ୍ୟାସତ୍ୟ ଜାଣିପାରିଥିଲେ । ତେବେ ୧୪ ହଜାର ଲିଟର ପେଟ୍ରୋଲ ଚୋରି ହୋଇଥିବା ମା’ ଦାନ୍ତେଶ୍ୱରୀ ପେଟ୍ରୋଲ ପମ୍ପର ମାଲିକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।