(video)ବୋରିଂରୁ ପାଣି ପରିବର୍ତ୍ତେ ବାହାରୁଛି ନିଆଁ , ଗ୍ରାମବାସୀ ଆତଙ୍କିତ

ମିର୍ଜାପୁର: ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାର ଏକ ଗ୍ରାମରୁ ଏପରି କିଛ ଘଟଣା ସାମ୍ନାକୁ ଆସିଛି ଯାହା ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛିି । ହଠାତ୍ ଗ୍ରାମବାସୀଙ୍କ ନଜର ଏକ ବୋରିଂ ଉପରେ ପଡିଥିଲା ଯେଉଁଥିରୁ ବହୁ ଜୋରରେ ନିଆଁ ଉପରକୁ ଲମ୍ପ ମାରୁଥିବାର ଦେଖାଯାଇଥିଲା । ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଭୟରେ ଏଣେ ତେଣେ ଧାଇଁଥିଲେ । ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ବୋରିଂରୁ ପାଣି ପରିବର୍ତ୍ତେ ନିଆଁ କିପରି ବାହାରୁଛି । ତେବେ କିଛି ସମୟ ପରେ ଏହି ଘଟଣା ଉପରୁ ପର୍ଦ୍ଦାଫାଶ ହୋଇଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ଘଟଣାଟି ମିର୍ଜାପୁର ଜିଲ୍ଲା ମାଡିହାନ ତହସିଲର ଲାଲଗଞ୍ଜ ଥାନା କ୍ଷେତ୍ର ବହୁତୀ ଗ୍ରାମର । ଏଠାରେ ଏକ ବୋରିଂରୁ ପାଣି ପରିବର୍ତ୍ତେ ନିଆଁ ବାହାରିବାରେ ଲାଗିଛି । ଏହି ଘଟଣାର ଅନୁସନ୍ଧାନ ପରେ ବୋରିଂରୁ ପେଟ୍ରୋଲ ଗନ୍ଧ ଆସୁଥିବାର ଜଣାପଡିଥିଲା । ଏହି କାରଣରୁ ବୋରିଂ ମଧ୍ୟରେ ଜ୍ୱଳନଶୀଳ ଗ୍ୟାସ ସୃଷ୍ଟି ହୋଇଛି । ଏହି ଗ୍ରାମର ଜଣେ ବ୍ୟକ୍ତି ପାଣି ପାଇଁ ଏହି ବୋରିଂ ଖୋଳାଇଥିଲେ । ବୋରିଂ ଖୋଳାଯିବା ସମୟରେ ଏଥିରୁ ପାଣି ବାହାରିବା ପରିବର୍ତ୍ତେ ଗ୍ୟାସ ବାହାରିଥିଲା ।

ଏହି ସୂଚନା ଗ୍ରାମବାସୀ ଏସଡିଏମଙ୍କୁ ଦେଇଥିଲେ । ଏସଡିଏମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ପରୀକ୍ଷଣ ଲାଗି ବୋରିଂ ମୁହଁରେ ମ୍ୟାଚ୍ ଲଗାଇବାକୁ କହିଥିଲେ । ଏହାପରେ ସେଠାରେ ନିଆଁ ଜଳି ଉଠିଥିଲା । କୌଣସି ଅଘଟଣ ଯେପରି ନ ଘଟେ ଏହାକୁ ଦୃଷ୍ଟିରେ ରଖି ଏବେ ଏସଡିଏମ୍ ଏହି ବୋରିଂକୁ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ବିଷୟରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂପୃକ୍ତ ଏସଡିଏମ୍ କହିଛନ୍ତି ।