ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଅଧିନରେ ପଞ୍ଜୀକୃତ ହୋଇଥିବା ଅନ୍ତର୍ଜାତୀୟ କର୍ମଚାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଯେଉଁ କର୍ମଚାରୀମାନେ ଭାରତରେ କାମ କରିବା ପରେ ନିଜ ଦେଶକୁ ଚାଲିଯାଇଥିବେ ଓ ଆଧାର ନେଇ ନଥିବେ ସେମାନେ ଏହାର ଫାଇଦା ଉଠାଇ ପାରିବେ । ଏଥିସହିତ ବିଦେଶୀ ନାଗରିକତା ପ୍ରାପ୍ତ କରିଥିବା ଭାରତୀୟ, ଯେଉଁମାନଙ୍କୁ ଆଧାର ମିଳିନଥିବ ସେମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ । ଇପିଏଫଓ ପକ୍ଷରୁ ପିଏଫ କ୍ଲେମକୁ ନେଇ ନିୟମ ପରିବର୍ତ୍ତନ କରାଯାଇଥିବା ବେଳେ ଏଣିକି ପିଏଫ କ୍ଲେମ କରିବା ପାଇଁ ଆଧାର ବାଧ୍ୟତାମୂଳକ ହେବ ନାହିଁ ।
ତେବେ ସବୁଠାରୁ ବଡ଼ କଥା ହେଉଛି, ସମସ୍ତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ, କିଛି ବର୍ଗର ସଦସ୍ୟଙ୍କ ପାଇଁ ଏହା ଉପଲବ୍ଧ ହେବ । କିଛି ବର୍ଗର କର୍ମଚାରୀଙ୍କ ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ)କୁ ଆଧାର ସହ ଲିଙ୍କ କରିବାର ବାଧ୍ୟତାମୂଳକରେ ଛାଡ଼ କରାଯାଇଛି । ଯେଉଁମାନଙ୍କ ପାଇଁ ଆଧାର ନେବା ମୁସ୍କିଲ କାମ ବା ଯେଉଁମାନେ ଆଧାର ପରି ଡକ୍ୟୁମେଣ୍ଟ ପାଇ ପାରୁନାହାନ୍ତି, ଏହି ପଦକ୍ଷେପ ସେହି କର୍ମଚାରୀଙ୍କ ପାଇଁ କ୍ଲେମ କରିବା ସହଜ ହୋଇଯିବ ।
ସ୍ଥାୟୀ ଭାବେ ବିଦେଶ ଯାଇଥିବା ପୂର୍ବ ଭାରତୀୟ, ନେପାଳ ଓ ଭୂଟାନର ନାଗରିକମାନେ ଏହାର ଫାଇଦା ଉଠାଇ ପାରିବେ । ଏହି ନିୟମ ପରିବର୍ତ୍ତନ ପରେ କର୍ମଚାରୀମାନେ ଇପିଏଫଓ ଅଧିନରେ କ୍ଲେମ କରିପାରିବେ ଓ ସେଥିପାଇଁ ଅଲଗା ବିକଳ୍ପ ରଖାଯିବ । ଏହି ନିୟମରେ କୁହାଯାଇଛି, କୌଣସି ବି କ୍ଲେମ ଅଧିକାରୀଙ୍କୁ ସାବଧାନତାର ସହିତ ଯାଞ୍ଚ କରିବା ଆବଶ୍ୟକ । ଏହାପରେ ସ୍ୱୀକୃତି ଅଧିକାରୀ-ପ୍ରଭାରୀ (ଓଆଇସି) ମାଧ୍ୟମରେ ଇ-ଅଫିସ ଫାଇଲ ଜରିଆରେ ମଞ୍ଜୁରୀ ଜରୁରୀ ଅଟେ । ଏଥିସହିତ ଗୋଟିଏ ୟୁଏଏନ ନମ୍ବର ରଖିବାକୁ କୁହାଯାଇଛି ।