fbpx

ଫଟୋଗ୍ରାଫର ହତ୍ୟା ମାମଲା: ରହସ୍ୟମୟୀଙ୍କୁ ଖୋଜିବ ସ୍ପେସାଲ ସ୍କ୍ୱାଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଏବେ ଦିନକୁ ଦିନ ଅନେକ ନୂଆ ଗୁମର ଖୋଲୁଛି । ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର । ମାନସ ସ୍ୱାଇଁ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି । ସମ୍ପୃକ୍ତ ମହିଳାଙ୍କ ନାଁ ଝୁନା ଭୋଇ ହୋଇଥିବା ବେଳେ ସେ ଏୟାରଫିଲଡ଼ ଥାନା ବିରିବନ୍ଦ ଭୋଇ ସାହିରେ ରୁହନ୍ତି । ଘଟଣା ପରଠୁ ଶର୍ମିଷ୍ଠାଙ୍କ ସହ ସ୍କୁଟିରେ ଝୁନା ଫେରାର ହୋଇଯାଇଛନ୍ତି । ପରିବାର ଲୋକଙ୍କୁ ୫ଦିନ ବାହାରେ ରହିବେ ବୋଲି ଫୋନ କରି କହିଥିଲେ ଝୁନା ।

ଏହି ମାମଲାରେ କମିସନରେଟ ପୋଲିସର ସହାୟତା ଳୋଡ଼ିଛି ଚାନ୍ଦବାଲି ପୋଲିସ । ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ସ୍ପେସାଲ ସ୍କ୍ୱାଡ୍ ଟିମ୍ ଗଠନ କରିଛି କମିସନରେଟ ପୋଲିସ । ସହାୟତା ଲୋଡ଼ିବା ନେଇ ଭଦ୍ରକ ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଳିଳ ଫିଲ୍ମର ଶୁଟିଂ ପାଇଁ ଲଗାଇଥିବା ଜଣାପଡ଼ିଛି । ତେବେ କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ୱେବ ପୋର୍ଟାଲ ମାଲିକାଣୀ । ସୂଚନା ଅନୁସାରେ କୁଆଡ଼େ ମାନସ ସ୍ୱାଇଁ ଏହି କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ଚାରି ପାଂଚ ଜଣ ଲୋକଙ୍କୁ ନେଇ ମାଲିକାଣୀ ତାଙ୍କୁ ଖୋଜାଖୋଜି କରିଥିଲେ । ଫେବ୍ରୁଆରୀ ୭ ତାରିଖରେ ଏକ ବିବାହ ଉତ୍ସବରେ ଫଟୋ ଉଠାଇବା ପାଇଁ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ । ହେଲେ ଚାନ୍ଦବାଲି ନାଲଗୁଣ୍ଡାର ପଳାଶପୁର ଛକରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଭୁବନେଶ୍ୱରରେ ହତ୍ୟା କରି ରଣପୁର ଥାନା ବଧିପାଟଣା ନିକଟ ପାହାଡ ପାଖରେ ମାଟିତଳେ ପୋତି ଦେଇଥିଲେ ଅଭିଯୁକ୍ତ । ମାନସଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଘଟଣାର ଛାନଭିନ କରିଥିଲା ଚାନ୍ଦବାଲି ପୋଲିସ ।

Get real time updates directly on you device, subscribe now.