fbpx

ଯୁକ୍ତ ଦୁଇ ଓ ଯୁକ୍ତ ତିନି ପିଲାଙ୍କୁ ମିଳିବ କ୍ୟାମ୍ପସ ନିଯୁକ୍ତି: ଛାତ୍ରଛାତ୍ରୀ କରିପାରିବେ ଇଣ୍ଟର୍ଣ୍ଣଶିପ୍, ଉଚ୍ଚଶିକ୍ଷା ବିଭାଗର ବଡ଼ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରିବା ସହ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ଏହି କ୍ରମରେ ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ନୂଆ ଯୋଜନା ପ୍ଲାନିଂ କରୁଛି । ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣଶିପ୍ ପ୍ରଦାନ କରାଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ବୈଠକରେ ଏକ କନସଲ୍ଟିଂ ଫାର୍ମ ସହିତ ଆଲୋଚନା କରାଯାଇଛି ।

ସୂଚନା ମୁତାବକ, ଏହି ଫାର୍ମରେ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣଶିପ୍ ପାଇବା ସହ କ୍ୟାମ୍ପସ ପ୍ଲେସମେଣ୍ଟ କ୍ଷେତ୍ରରେ କିପରି ସଫଳତା ଅର୍ଜନ କରିପାରିବେ ସେନେଇ ନିଜକୁ ପ୍ରସ୍ତୁତ କରିବେ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀମାନେ ସହଜରେ ଉଦ୍ୟୋଗ ସୃଷ୍ଟି କରିପାରିବେ ବୋଲି ଆଶା କରାଯାଉଛି । ଏହି ଇଣ୍ଟର୍ଣ୍ଣଶିପ୍ ବ୍ୟବସ୍ଥା କେବଳ ଟେକ୍ନିକାଲ କ୍ଷେତ୍ରର ଛାତ୍ରଛାତ୍ରୀମାନେ ନୁହନ୍ତି, କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ତରର ପିଲାମାନେ ମଧ୍ୟ ପାଇପାରିବେ ।

ଏହି କନସଲ୍ଟିଂ ଫାର୍ମ ସହାୟତାରେ ଇଣ୍ଟର୍ଣ୍ଣଶିପ୍ ଆଶାୟୀଙ୍କର ଡାଟାବେସ୍ ପ୍ରସ୍ତୁତ କରାଯିବ । ପିଲାମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ସୁଯୋଗ ପ୍ରଦାନ କରାଯିବ । ପିଲାଙ୍କର ଦକ୍ଷତା ବିକାଶ ସମ୍ପର୍କରେ କନସଲ୍ଟିଂ ଫାର୍ମ ପଦକ୍ଷେପ ଗ୍ରହଣ କରିବ । ପିଲାମାନେ କିପରି ନିଯୁକ୍ତି ପାଇପାରିବେ ଓ ନିଯୁକ୍ତି ଦେଇପାରିବେ ସେଥିପାଇଁ ସେମାନଙ୍କୁ ତାଲିମ୍ ପ୍ରଦାନ କରାଯିବ । ମାର୍କେଟରେ ଉଦ୍ୟୋଗର ଭାଲ୍ୟୁ ବଢ଼ାଇବାକୁ କେଉଁ କେଉଁ ନୀତିକୁ ପ୍ରାଥମିକତା ଦେବାକୁ ପଡ଼ିବ ସେନେଇ ପିଲାଙ୍କୁ ଟ୍ରେନିଂ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଏହି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.