fbpx

ମିହିରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ, ଆଜି ହେବ ଶେଷକୃତ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ଅଭିନେତା ମିହିର ଦାସଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହିଁ ସାରା ରାଜ୍ୟ । ନିଜର ନିଖୁଣ ହୃଦୟସ୍ପର୍ଶୀ ଅଭିନୟର ଯାଦୁରେ ସେ ଦର୍ଶକଙ୍କ ମନରେ ଘର କରି ରହିଥିଲେ । ତେବେ ଏପରି ଜଣେ ମହାନ୍ କଳାକାରଙ୍କୁ ହରାଇ ଅଭିନୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ଯାହାକି ଭବିଷ୍ୟତରେ କେବେ ବି ପୂରଣ ହୋଇପାରିବ ନାହିଁ । ମିହିରଙ୍କ ପରି ଜଣେ କିମ୍ବଦନ୍ତୀ କଳାକାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ନିଜ ଅଭିନୟ ଯାଦୁରେ ମିହିର ଅନେକଙ୍କ ହୃଦୟ ଜିତିପାରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

କଟକର ସତୀଚୌରା ଶ୍ମଶାନରେ ଆଜି ମିହିରଙ୍କର ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିହିରଙ୍କୁ ଗାର୍ଡ ଅଫ୍ ଅନ୍ନର ଦିଆଯିବ । ଗତକାଲି ୫୫ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ୧୯୭୯ ମସିହାରେ ମଥୁରା ବିଜୟ ଫିଲ୍ମ ମାଧ୍ୟମରେ ମିହିର ଅଭିନୟ ଜଗତରେ ପାଦ ଥାପିଥିଲେ । ଏହାପରେ ସେ ରାମାୟଣ, ଏହି ଆମ ସଂସାର, ଏହି ତ ଦୁନିଆ, ଆକାଶର ଆଖି, କନ୍ୟାଦାନ, ଲକ୍ଷ୍ମୀ ପ୍ରତିମା, ସୌଭାଗ୍ୟବତୀ, ସହର ଜଳୁଛି, ପାଗଳ କରିଛୁ ତୁ, ଗୁଣ୍ଡା, ଅଭୟ, ହିରୋ ନମ୍ବର ୱାନ, ରୋମିଓ ଜୁଲିଏଟ୍, ଓନଲି ପ୍ୟାର, ତୁ ମୋ ଲଭ ଷ୍ଟୋରି, ଶିଷ୍ଟର ଶ୍ରୀଦେବୀ ପରି ଏକାଧିକ ଫିଲ୍ମରେ ଅଭିନୟ କରି ନିଜର ଦକ୍ଷତାକୁ ପ୍ରମାଣିତ କରିଥିଲେ ।

Get real time updates directly on you device, subscribe now.